Unknown

 

 

 

 

 

 

 

 

 

 

 

ଅଦୃଶ୍ୟ ହନ୍ତା

ରମେଶଚନ୍ଦ୍ର ମିଶ୍ର

 

॥ ଏକ ॥

 

ଖବରଟା ସମଗ୍ର ସହରରେ ଚହଳ ପକେଇ ଦେଇଛି ।

 

ସମସ୍ତଙ୍କ ମୁହଁରେ ସେଇ ଗୋଟାଏ ଖବର ଶୁଣିବାକୁ ମିଳୁଛି । ରାଜନୈତିକ ଦଳାଦଳି, ଫୁଟବଲ ଆଉ ହକି ଲିଗ୍‌ର ଜୋର ଖବର ଆଉ ସିନେମାର ଆଧୁନିକତମ ବଡ଼ ଛୋଟ ସବୁ ଖବରକୁ ପଛରେ ପକେଇଦେଇ ଗୋଟାଏ ଖବର ସମସ୍ତଙ୍କ ଆଗରେ ଦେଖାଦେଇଛି ।

 

ସେଦିନ ସହରର ସବୁଗୁଡ଼ାକ ଖବରକାଗଜରେ ବଡ଼ ବଡ଼ ଶିରୋନାମା ଦେଇ ପ୍ରକାଶ ପାଇଥିଲା—

 

ଦସ୍ୟୁ ସର୍ଦ୍ଦାର ଗଙ୍ଗାଚାନ୍ଦର ଅବାଧ ଅଭିଯାନ !!

 

ସହରର ବିଶିଷ୍ଟ ଧନୀ ବ୍ୟକ୍ତି ନିହତ !

 

ନଦୀଗର୍ଭରୁ ମୃତଦେହ ପ୍ରାପ୍ତି !

 

ଗତ ତିନିମାସ ଧରି ଏ ସହରର ଭିତରେ ଦସ୍ୟୁ ସର୍ଦ୍ଦାର ଗଙ୍ଗାଚାନ୍ଦ୍‍ ଯେଉଁ ଭୟାବହ ହତ୍ୟା ତାଣ୍ଡବ ଆରମ୍ଭ କରିଛି, ସେ ବିଷୟରେ ସର୍ବସାଧାରଣ ପାଠକ ନିଶ୍ଚୟ କିଛି କିଛି ଜାଣିଛନ୍ତି ।

 

ଏହା ପୂର୍ବରୁ ବିଗତ ଅଗଷ୍ଟ ମାସରେ ପ୍ରଥମେ ଗୋଟାଏ ହତ୍ୟାକାଣ୍ଡ ଜାନକୀପୁରରେ ଅନୁଷ୍ଠିତ ହୋଇଥିଲା । ମୃତ ବ୍ୟକ୍ତିର ଆଖି ଭିତରେ ଗୋଟାଏ ଛୁଞ୍ଚି ଫୋଡ଼ା ହୋଇଥିଲା ଏବଂ ସେଥିରେ ଲାଗିଥିବା ଖଣ୍ଡେ କାଗଜ ଦେହରେ ଲେଖା ହୋଇଥିଲା ‘ଗଙ୍ଗାଚାନ୍ଦ୍‍’ । ପରେ ଅବଶ୍ୟ ଖବର ନେବାରେ ଜଣାପଡ଼ିଲା ଯେ ଏ ଲୋକଟି ଉକ୍ତ ଦସ୍ୟୁ ସର୍ଦ୍ଦାର ଦଳର ଲୋକ । କୌଣସି କାରଣରୁ ଦଳର ମୁଖ୍ୟ ଏଇ ଗଙ୍ଗାଚାନ୍ଦ୍‍ ସହିତ ତା’ର ମନୋମାଳିନ୍ୟ ହୋଇଥିଲା । ତା’ପରେ ତା’ର ମୃତଦେହ ଦେଖିବାକୁ ମିଳିଲା ।

 

ଏହି ଘଟଣା ପରେ ସହରର ଆହୁରି ଦୁଇ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଏବଂ ଦୁଇଟାଯାକ କ୍ଷେତ୍ରରେ ଠିକ୍ ସେହିଭଳି ପ୍ରମାଣ ପାଇ ବୁଝିବାକୁ ହୋଇଛି ଯେ ସେଗୁଡ଼ିକ ଦସ୍ୟୁ ସର୍ଦ୍ଦାର ଗଙ୍ଗାଚାନ୍ଦ୍‍ର କାମ ।

 

କିନ୍ତୁ ଏ ଗଙ୍ଗାଚାନ୍ଦ୍‍ ଲୋକଟା କିଏ ପୋଲିସବାହିନୀ ଅଜସ୍ର ପରିଶ୍ରମ କରି ମଧ୍ୟ ଆଜିପର୍ଯ୍ୟନ୍ତ ବାହାର କରିପାରିଲେ ନାହିଁ । ଏହାପରେ ଅବଶ୍ୟ ପନ୍ଦର କୋଡ଼ିଏ ଦିନ ପର୍ଯ୍ୟନ୍ତ ଆଉ କୌଣସି ଘଟଣା ଘଟି ନାହିଁ ସତ; କିନ୍ତୁ ସହରର ବିଶିଷ୍ଟ ଧନୀ ମାରୁତିପ୍ରସାଦ ଖଣ୍ଡେଲ ଓ୍ୱାଲଙ୍କର ମୃତଦେହ ଗତ ପଅରଦିନ ଉପରବେଳା ନଦୀବକ୍ଷରେ ଭାସମାନ ଅବସ୍ଥାରେ ଆବିଷ୍କୃତ ହୋଇଛି ।

 

ଏଥର ବି ମୃତ ମାରୁତିପ୍ରସାଦ ଖଣ୍ଡେଲ ଓ୍ୱାଲଙ୍କ ଆଖିରେ ଗୋଟିଏ ଛୁଞ୍ଚି ଫୋଡ଼ା ଯାଇଥିଲା ଏବଂ ସେଥିରେ ଲାଗିଥିବା କାଗଜ ଦେହରେ ଗଙ୍ଗାଚାନ୍ଦ୍‍ର ନାମ ଲେଖା ହୋଇଥିଲା ।

 

ନାନା ପ୍ରକାରର ଅନୁସନ୍ଧାନ କରି ଟାଉନ୍ ପୋଲିସ ବିଭାଗ ଜାଣିପାରିଛନ୍ତି ଯେ ଉକ୍ତ ମୃତ ବ୍ୟକ୍ତିଙ୍କ ସଙ୍ଗେ ଦସ୍ୟୁ ସର୍ଦ୍ଦାର ଗଙ୍ଗାଚାନ୍ଦ୍‍ର ବିଭିନ୍ନ ଗୋପନ ସମ୍ବନ୍ଧ ଥିଲା । କିନ୍ତୁ ଏହାଠାରୁ ଅଧିକ କିଛି ସଂଗ୍ରହ କରିବା ପାଇଁ ପୋଲିସ ବିଭାଗ ସକ୍ଷମ ହୋଇପାରି ନାହାନ୍ତି । ଏ ଗଙ୍ଗାଚାନ୍ଦ୍‍ ଜଣକ କିଏ ଏବଂ ତା’ ଦଳରେ ବା କେତେଜଣ କାମ କରନ୍ତି ସେ ବିଷୟ ଏବେ ମଧ୍ୟ ଅଜ୍ଞାତ ରହିଛି ।

 

ଯଦି ଦସ୍ୟୁ ସର୍ଦ୍ଦାର ଗଙ୍ଗାଚାନ୍ଦ୍‍କୁ ବାସ୍ତବିକ୍ ଗିରଫ କରିବା ସମ୍ଭବ ନ ହୁଏ ଏବଂ ଯଦି ପ୍ରକୃତରେ ଦିନକୁ ଦିନ ତା’ର ଅତ୍ୟାଚାର ମାତ୍ରା ଏଭଳି ଭାବରେ ବଢ଼ିଚାଲେ, ତେବେ ସହରର ସମସ୍ତ ଲୋକ ଯେ ଆତଙ୍କିତ ହୋଇପଡ଼ିବେ ଏଥିରେ କୌଣସି ସନ୍ଦେହ ନାହିଁ ।

 

ବାସ୍ତବିକ୍ ଖବରଟା ସହର ବକ୍ଷରେ ଆଶାତୀତ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସମସ୍ତଙ୍କ ମୁହଁରେ ଦସ୍ୟୁ ସର୍ଦ୍ଦାର ଗଙ୍ଗାଚାନ୍ଦ୍‍ କଥା ।

 

ଏ ଗଙ୍ଗାଚାନ୍ଦ୍‍ କିଏ ?

 

କ’ଣ ତା’ର ପରିଚୟ !

 

କାହିଁକି ସେ ଏଭଳି ଗୋଟାକ ପରେ ଗୋଟାଏ ନରହତ୍ୟା କରି ସହର ବକ୍ଷରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ?

 

ଲୋକଙ୍କ ଭିତରେ ଆଉ ପ୍ରଶ୍ନର ବିରାମ ନାହିଁ । ଧୀରେ ଧୀରେ ଗଙ୍ଗାଚାନ୍ଦ୍‍ ସମ୍ବନ୍ଧରେ ଅଦ୍ଭୁତ ଗୁଜବ ମଧ୍ୟ ପ୍ରଚାର ହେବାରେ ଲାଗିଲା । ମଣିଷ ମନ ନ ଜାଣିଥିବା କୌଣସି ଜିନିଷ ସମ୍ବନ୍ଧରେ ସବୁ ସମୟରେ ନାନା କଳ୍ପନାର ଅଦ୍ଭୁତ ଧାରଣା କରି ବସେ ।

 

ଏ କ୍ଷେତ୍ରରେ ବି ଠିକ୍ ସେଇୟା ଘଟିଲା । ଦସ୍ୟୁ ଗଙ୍ଗାଚାନ୍ଦ୍‍ ଯେ ଅଲୌକିକ ଗୁଣସମ୍ପନ୍ନ–ଏକଥା ପ୍ରତ୍ୟେକ ଲୋକ ମୁହଁରୁ ଶୁଣିବାକୁ ମିଳିଲା ।

 

ସେ କେଉଁଠି ଇଚ୍ଛା କଲେ ପବନ ସାଙ୍ଗରେ ମିଶି ବୁଲିପାରେ ।

 

ତା’ର ଗତାଗତ ସର୍ବତ୍ର ।

 

ଲୋକର ମନ ଭିତରୁ ସେ କେଉଁଠି ସମ୍ବାଦ ସଂଗ୍ରହ କରିପାରେ, ଆଉ ସେଇ ଅନୁସାରେ ସେ କାମ କରିଥାଏ । ତା’ ବିପକ୍ଷରେ ଯିଏ ଯାଏ ସେ ତାକୁ ହତ୍ୟା କରେ ।

 

ପୁଣି କେହି କେହି କହିବାକୁ ଲାଗିଲେ, ଦସ୍ୟୁ ଗଙ୍ଗାଚାନ୍ଦ୍‍ ଖୁବ୍ ସୁନ୍ଦ୍‍ର ଆଉ ସୁପୁରୁଷ । ତା’ଭଳି ସୁନ୍ଦ୍‍ର ପୁରୁଷ ଏ ଦୁନିଆଁରେ କେହି ନାହିଁ ।

 

ଅନେକଙ୍କର ପୁଣି ଧାରଣା ଗଙ୍ଗାଚାନ୍ଦ୍‍ ଜଣେ ତରୁଣୀ । କେଉଁ ବାଟ ଦେଇ ସେ ଯିବାଆସିବା କରେ କେହି ଜାଣନ୍ତି ନାହିଁ । କେବଳ ସେ କି କାମମାନ କରେ ସେତିକି ଜାଣିହୁଏ ।

 

କେବଳ ଲୋକଙ୍କ ମୁହଁରେ ନୁହେଁ, ସହରର ସମ୍ବାଦପତ୍ରଗୁଡ଼ିକ ମଧ୍ୟ ନାନା ଧରଣର ଗୁଜବ ଉପରେ ଭିତ୍ତିକରି ଏ ଗଙ୍ଗାଚାନ୍ଦ୍‍ ସମ୍ବନ୍ଧରେ ଅଦ୍ଭୁତ କଥାସବୁ ଲେଖିବାକୁ ଲାଗିଲେ ।

 

ଅନେକ ଦିଗରୁ ଏଭଳି ବିରକ୍ତ ହୋଇ ପୋଲିସ କମିଶନର ଦସ୍ୟୁ ଗଙ୍ଗାଚାନ୍ଦ୍‍ର ଖବର ବାହାର କରିବା ପାଇଁ ତିନିଜଣ ସି.ଆଇ.ଡିଙ୍କୁ ନିଯୁକ୍ତ କଲେ ।

 

ଦିନ ପରେ ଦିନ କଟିବାକୁ ଲାଗିଲା । ଉତ୍କଣ୍ଠା ଆଉ ଉତ୍ତେଜନା ଭିତରେ କମିଶନର ସାହେବଙ୍କର ସମୟ କଟୁଥିଲା ।

 

ସାତଦିନ ପରେ ହଠାତ୍ ଦିନେ ସକାଳେ କମିଶନର ସାହେବଙ୍କ ନାମରେ ଗୋଟାଏ ବଡ଼ ପାର୍ଶଲ ଆସି ପହଞ୍ଚିଲା ।

 

ବଡ଼ ବଡ଼ ଅକ୍ଷରରେ ପାର୍ଶଲଟା ଉପରେ ସାବଧାନର ସଂକେତ ଦିଆଯାଇଥିଲା ।

 

କମିଶନର ସାହେବ ଯତ୍ନର ସହିତ ପାର୍ଶଲଟା ଖୋଲିବାର ଆଦେଶ ଦେଲେ । ସେଇଟା ଖୋଲିବାରୁ ଦେଖାଗଲା ତା’ ଭିତରେ ଜଣେ ନିଯୁକ୍ତ ହୋଇଥିବା ସି.ଆଇ.ଡି.ଙ୍କର କଟାମୁଣ୍ଡ ରହିଛି । ସ୍ଥାନେ ସ୍ଥାନେ ରକ୍ତ ଶୁଖି ଜମାଟ ବାନ୍ଧିଯାଇଛି । ଆଉ କଟାମୁଣ୍ଡର ଆଖି ଉପରେ ଛୁଞ୍ଚି ମରାଯାଇ ଖଣ୍ଡେ ଚିଠି ରହିଥିଲା ।

 

କମିଶନର ସାହେବ ଚିଠି ଖଣ୍ଡକ ଖୋଲିଲେ ।

 

ସେଥିରେ ଲେଖାଥିଲା—

 

ପ୍ରିୟ କମିଶନର ସାହେବ,

 

ଆଶାକରେ ଭବିଷ୍ୟତରେ ଦସ୍ୟୁ ଗଙ୍ଗାଚାନ୍ଦ୍‍ର ବିରୁଦ୍ଧରେ ଆହୁରି ଦକ୍ଷ ଏବଂ କାର୍ଯ୍ୟକ୍ଷମ ଲୋକ ନିଯୁକ୍ତ କରିବାର ଚେଷ୍ଟା କରିବେ ।

 

ଆଉ ଖୁବ୍ ଭଲ ଭାବରେ ମନେରଖିବେ; ଦସ୍ୟୁ ଗଙ୍ଗାଚାନ୍ଦ୍‍ ବିରୁଦ୍ଧରେ କାମ କରିବାର ଏକମାତ୍ର ଶାସ୍ତି ହେଉଛି ମୃତ୍ୟୁ । ଇତି ।

 

ଗଙ୍ଗାଚାନ୍ଦ୍‍ ।

 

କମିଶନର ସାହେବ ଚିଠିଟା ପଢ଼ି ଶେଷ କଲେ ।

 

ତା’ପରେ ଟେଲିଫୋନ୍‌ଟା ଉଠେଇ ନେଇ କେନ୍ଦ୍ର ଜେଲ ସହିତ ଯୋଗାଯୋଗ ସ୍ଥାପନ କଲେ ।

 

ତାଙ୍କର ଅସମ୍ଭବ ଗମ୍ଭୀର ମୁହଁଟା ଦେଖି ଉଦ୍ଦେଶ୍ୟ କ’ଣ ବୋଲି ବୁଝି ହେଉ ନଥିଲା ।

 

ମୁହୂର୍ତ୍ତକ ମଧ୍ୟରେ ସାରା ପୋଲିସ ମହଲରେ କଥାଟା ପ୍ରଚାର ହୋଇଗଲା । ସମସ୍ତେ ବିସ୍ମୟ ।

 

ଏଭଳି ଗୋଟାଏ ଘଟଣା ଏଠିକା ପୋଲିସ ମହଲରେ ଯେମିତି ଇତିହାସ ସୃଷ୍ଟି କରିଛି-

 

॥ ଦୁଇ ॥

 

ଦିନ ଦଶଟା ।

 

ବିଖ୍ୟାତ ପ୍ରାଇଭେଟ ଡିଟେକ୍ଟିଭ ଜୟନ୍ତ ପାଣିଗ୍ରାହୀ ତା’ର ବୈଠକ ଘରେ ବସି କେତେଗୁଡ଼ିଏ ପୁରୁଣା କେସର ଡାଏରୀ ଖୁବ୍ ମନୋଯୋଗର ସହିତ ପଢ଼ୁଥିଲା ।

 

ବାହାରେ ଗାଡ଼ି ଆସି ଠିଆ ହେବାର ଶବ୍ଦ ଶୁଣାଗଲା । ଟିକିଏ ପରେ ଭାରୀଜୋତାର ତାଳ ଶୁଣାଗଲା । ଘର ଭିତରକୁ ପୋଲିସ କମିଶନର ପଶିଆସିଲେ ।

 

—ସୁପ୍ରଭାତ ମିଷ୍ଟର ପାଣିଗ୍ରାହୀ !

 

—ସୁପ୍ରଭାତ କମିଶନର ସାହେବ ! ମୋର ଆଜି କି ସୌଭାଗ୍ୟ ଯେ ଏତେ ସକାଳୁ ମୋ ଘରେ ଆପଣଙ୍କ ପାଦଧୂଳି ପଡ଼ିଲା ।

 

ବିନୟଟା ଭଲ ମିଷ୍ଟର ପାଣିଗ୍ରାହୀ, କିନ୍ତୁ ଏଇଟା ଯେମିତି ଅତି ବିନୟର ଲକ୍ଷଣ ବୋଲି ମନେହେଉଛି । ଜାଣନ୍ତି ତ ଗୋଟାଏ ପ୍ରବାଦ ଅଛି—

 

କଥାଟା କହି କମିଶନର ସାହେବ ବଡ଼ ପାଟିରେ ହସିଉଠିଲେ । ଜୟନ୍ତ ମଧ୍ୟ ସେ ହସରେ ଯୋଗଦେଲେ ।

 

ହସ କୌତୁକ ପର୍ବଟା ଶେଷ ହେବାରୁ କମିଶନର ସାହେବ କହିଲେ,—ଖୁବ୍ ଜରୁରୀ ଦରକାରରେ ମତେ ଆପଣଙ୍କ ପାଖକୁ ଆସିବାକୁ ହୋଇଛି ମିଷ୍ଟର ପାଣିଗ୍ରାହୀ ।

 

ଜୟନ୍ତ କହିଲା,—ସେମିତି କିଛି ଗୋଟାଏ ବୋଲି ତ ଅନୁମାନ କରୁଥିଲି । ହଉ, କ’ଣ ଦରକାରରେ ଆସିଛନ୍ତି କହନ୍ତୁ ।

 

—ଆଜିକାଲି ସହର ଭିତରେ ଦସ୍ୟୁ ସର୍ଦ୍ଦାର ଗଙ୍ଗାଚାନ୍ଦ୍‍ର ଅବାଧ ଅତ୍ୟାଚାରର ଖବର ନିଶ୍ଚୟ ଖବରକାଗଜମାନଙ୍କରୁ ପଢ଼ି ଜାଣିପାରିଥିବେ । କିନ୍ତୁ ଦୀର୍ଘଦିନ ପ୍ରଚେଷ୍ଟା ପରେ ବି ଦସ୍ୟୁ ଗଙ୍ଗାଚାନ୍ଦ୍‍କୁ ଗିରଫ କରିବା ତ ଦୂରର କଥା, ସେ ଯେ କିଏ ସେଇଟା ଏପର୍ଯ୍ୟନ୍ତ ଜାଣିବା ପାଇଁ ପୋଲିସ ବିଭାଗ ସକ୍ଷମ ହୋଇ ନାହିଁ । ଏହାଫଳରେ ଆମର ଦୁର୍ନାମ ପ୍ରବଳ ଭାବରେ ତ ବଢ଼ିଯାଇଛି, ଭବିଷ୍ୟତରେ ବି ଏଭଳି ଘଟଣା ବନ୍ଦ୍‍ ହେବ ବୋଲି କୌଣସି ନିଶ୍ଚୟତା ନାହିଁ ।

 

ଟିକିଏ ରହି କମିଶନର ସାହେବ ପୁଣି କହିଲେ,—ଦସ୍ୟୁ ଗଙ୍ଗାଚାନ୍ଦ୍‍ ବିରୁଦ୍ଧରେ ଏହା ମଧ୍ୟରେ କେତେଜଣ ସି.ଆଇ.ଡି.ଙ୍କୁ ମୁଁ ନିଯୁକ୍ତ କରିଥିଲି । କିନ୍ତୁ ସମ୍ବାଦ ପାଇଁ ଯେତେବେଳେ ମୁଁ ବ୍ୟାକୁଳ ଆଗ୍ରହରେ ପ୍ରତୀକ୍ଷା କରିଥିଲି, ସେତେବେଳେ ସମ୍ବାଦ ପରିବର୍ତ୍ତେ ଦିନେ ଗୋଟାଏ ମଣିଷର କଟା ମୁଣ୍ଡ ଆସି ପହଞ୍ଚିଲା । ଆଉ ସେ ମୁଣ୍ଡଟା ଜଣେ ସି.ଆଇ.ଡି. ଅଫିସରଙ୍କର ! ତା’ ସଙ୍ଗେ ପାଇଲି ଦସ୍ୟୁ ଗଙ୍ଗାଚାନ୍ଦ୍‍ ଦ୍ୱାରା ଲେଖା ହୋଇଥିବା ଖଣ୍ଡେ ଚିଠି ।

 

ଜୟନ୍ତ ପଚାରିଲା,—ଦସ୍ୟୁ ଗଙ୍ଗାଚାନ୍ଦ୍‍କୁ ଖୋଜି ବାହାର କରିବା ପାଇଁ ଆପଣ କ’ଣ ମତେ ନିଯୁକ୍ତ କରିବାକୁ ଇଚ୍ଛା କରୁଛନ୍ତି ନା କ’ଣ ?

 

—ନା, ଠିକ୍ ସେଭଳି ନୁହେଁ ମିଷ୍ଟର ପାଣିଗ୍ରାହୀ । ଆପଣ ଜାଣନ୍ତି ଯେ ଦସ୍ୟୁ ଗଙ୍ଗାଚାନ୍ଦ୍‍କୁ ଖୋଜି ବାହାର କରିବାର ଚେଷ୍ଟା ଆଉ ମୃତ୍ୟୁକୁ ଆଲିଙ୍ଗନ କରିବା ଏକ କଥା । ଆପଣଙ୍କୁ ବିପଦ ଭିତରକୁ ଠେଲିଦେବା ମୋର ଇଚ୍ଛା ନୁହେଁ । ତା’ ଅପେକ୍ଷା ଅନେକ ଭାବିଚିନ୍ତି ଶେଷକୁ ଗୋଟାଏ ସୁନ୍ଦର୍‍ ଯୋଜନା ମୁଁ ପ୍ରସ୍ତୁତ କରିଛି । ଆପଣଙ୍କୁ ଠିକ୍ ସେମିତି କାମ କରିବାକୁ ହେବ । ଆଶାକରେ ଆପଣ ଏଥିରେ ଅମତ ହେବେ ନାହିଁ ।

 

ଜୟନ୍ତ କହିଲା—ହଉ, ଆପଣଙ୍କର ଯୋଜନଟା ଆଗେ ଶୁଣେ ।

 

କମିଶନର ସାହେବ କହିବାରେ ଲାଗିଲେ,—ସେଣ୍ଟ୍ରାଲ ଜେଲରେ ଦସ୍ୟୁ ଗଙ୍ଗାଚାନ୍ଦ୍‍ର ଜଣେ ଲୋକ ରହିଛି । ସେ ଯେ ଅସଲ ଦସ୍ୟୁ ଗଙ୍ଗାଚାନ୍ଦ୍‍ ଦଳର ଲୋକ ସେଇଟା ଆମମାନଙ୍କୁ ଜଣା ନଥିଲା । ଗଲା ବ୍ୟାଙ୍କରୁ ହୋଇଥିବା ଚୋରିବେଳେ ସେ ଲୋକଟା ପୋଲିସ ହାତରେ ଧରା ପଡ଼ିଥିଲା । କିନ୍ତୁ ଏବେ ଗୋଟାଏ ଘଟଣାରୁ ସେ ଯେ ଦସ୍ୟୁ ଗଙ୍ଗାଚାନ୍ଦ୍‍ ଦଳର ଲୋକ ସେଇଟା ଜାଣିପାରିଲୁ । ଘଟଣାର ଗତି ମଧ୍ୟ ସୁନ୍ଦ୍‍ର । ଲୋକଟିର ନାମ ଚକ୍ରଧର । ଏବେ ତାକୁ ମୁକ୍ତ କରିଦେବା ପାଇଁ ଦସ୍ୟୁ ଗଙ୍ଗାଚାନ୍ଦ୍‍ ପକ୍ଷରୁ ଜଣେ ଲୋକ ଜେଲର ଜଣେ ପ୍ରହରୀକୁ ପ୍ରଚୁର ଟଙ୍କା ଘୁସ୍‌ ଦେଇଛି । ଚକ୍ରଧରକୁ କେଉଁଠି ଗଙ୍ଗାଚାନ୍ଦ୍‍ର ବିଶେଷ ଦରକାର ।

 

କିନ୍ତୁ ସୌଭାଗ୍ୟର ବିଷୟ ଏଇୟା ଯେ, ପ୍ରହରୀ ଜଣକ ଖୁବ୍ ସାଧୁ ପ୍ରକୃତିର ଲୋକ । ସେ ସମ୍ବାଦଟା କର୍ତ୍ତୃପକ୍ଷଙ୍କୁ ଜଣେଇଲା ଏବଂ ଖବରଟା ଗୋପନରେ ପୋଲିସକୁ ଜଣେଇ ଦିଆଯାଇଛି । ବର୍ତ୍ତମାନ କଥା ହେଉଛି ଚକ୍ରଧର ବୋଲି ଯେଉଁ ଲୋକଟା ଅଛି ତାକୁ ମୁଁ ଦେଖିଛି । ତା’ର ରୂପ ଅବିକଳ ଆପଣଙ୍କ ଭଳି । ତେବେ ଆପଣଙ୍କ ଭଳି ସେ ଏତେଟା ସ୍ୱାସ୍ଥ୍ୟବାନ ନୁହେଁ, ସେଥିରେ କିଛି ଯାଏ ଆସେନି । ଆପଣ ସାମାନ୍ୟ ବେଶ ପରିବର୍ତ୍ତନ କଲେ ଆପଣ ଆଉ ଚକ୍ରଧର ମଧ୍ୟରେ କୌଣସି ପାର୍ଥକ୍ୟ ସାଧାରଣ ଦୃଷ୍ଟିରେ ଧରାପଡ଼ିବ ନାହିଁ । ସେଇ ଛଦ୍ମ ବେଶରେ ଆପଣ ସେଣ୍ଟ୍ରାଲ ଜେଲରେ ରହିବେ ଆଉ ଆମେ ତାକୁ—ମାନେ ଚକ୍ରଧରକୁ ଅନ୍ୟ ଗୋଟାଏ ଜେଲକୁ ନେଇଯିବୁ l ଏହାମଧ୍ୟରେ ନିର୍ଦ୍ଦିଷ୍ଟ ବନରେ ଆମେ ଏମିତି ବ୍ୟବସ୍ଥା କରିବୁ ଯେ ଆପଣ ସେଇ ପ୍ରହରୀଟିର ସାହାଯ୍ୟରେ ପଳେଇ ଯିବେ । ଦସ୍ୟୁ ଗଙ୍ଗାଚାନ୍ଦ୍‍ ଦଳର ସମସ୍ତେ ଆପଣଙ୍କୁ ଚକ୍ରଧର ବୋଲି ମନେକରିବେ । ଫଳରେ ସେମାନଙ୍କ ଦଳ ସହିତ ଧୀରେ ଧୀରେ ଆପଣ ଅସଲ କାମ ଆଡ଼େ ଆଗେଇ ଯିବେ ।

 

ଜୟନ୍ତ ହସିଦେଇ କହିଲା—ଆପଣଙ୍କର ଏ ଯୋଜନାକୁ ମୁଁ ସ୍ଵାଗତ ଜଣାଉଛି କମିଶନର ସାହେବ । କିନ୍ତୁ ଏଇଟା ଆପଣମାନଙ୍କ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି ।

 

—କାହିଁକି ?

 

—କଥାଟା ଯଦି ସମ୍ପୂର୍ଣ୍ଣ ଗୋପନ ରଖିପାରନ୍ତି ଏବଂ ମତେ ଠିକ୍ ବନ୍ଦୀ ଭଳି ରଖିବାର ବ୍ୟବସ୍ଥା ହୁଏ ତେବେ ଏ ସବୁର ସାର୍ଥକତା ଅଛି ବୋଲି ବୁଝିବାକୁ ହେବ । ଅବଶ୍ୟ ମତେ ବି ନିପୁଣ ଭାବରେ ଅଭିନୟ କରିବାକୁ ହେବ । ତା’ ନହେଲେ, ଅର୍ଥାତ୍ ବ୍ୟର୍ଥ ହେଲେ ମୋର ଜୀବନ ସଙ୍କଟାପନ୍ନ ହୋଇପଡ଼ିବ ।

 

—ଯଥାସମ୍ଭବ କଥାଟା ଗୋପନ ରଖାଯିବ ଏବଂ ନିର୍ଦ୍ଦିଷ୍ଟ ପ୍ରହରୀଟି ବ୍ୟତୀତ ଆଉ କେହି ଯେମିତି ଘଟଣାଟା ଜାଣି ନ ପାରନ୍ତି ଆମମାନଙ୍କୁ ସେ ଚେଷ୍ଟା କରିବାକୁ ହେବ ।

 

—ତା’ହେଲେ ପ୍ରକୃତରେ ଏଇଟା କାର୍ଯ୍ୟକାରୀ ଯୋଜନା ।

 

—ଆପଣ ତା’ହେଲେ ପ୍ରସ୍ତୁତ ?

 

—ନିଶ୍ଚୟ । ବିପଦକୁ ଯେ ମୁଁ କେତେ ଭଲପାଏ ସେଇଟା ଆପଣ ସମସ୍ତଙ୍କ ଅପେକ୍ଷା ବେଶି ଜଣନ୍ତି ।

 

—ମୁଁ ଜାଣେ ଆପଣ ସଫଳତା ଲାଭକରିବେ । ଆପଣ ତା’ହେଲେ ସବୁଦିଗରୁ ପ୍ରସ୍ତୁତ ହୋଇଥିବେ ମିଷ୍ଟର ପାଣିଗ୍ରାହୀ । ଆଜି ରାତିରେ…

 

—ଧନ୍ୟବାଦ !

 

ଜୟନ୍ତ କମିଶନର ସାହେବଙ୍କୁ ବିଦାୟ ସମ୍ଭାଷଣ ଜଣେଇଲା ।

 

ସେଇଦିନ ରାତି ଦୁଇଟା । ସେଣ୍ଟ୍ରାଲ ଜେଲର ଗୋଟାଏ ସେଲ ଆଗରେ କୟେଦୀ ପୋଷାକ ପିନ୍ଧି ଜୟନ୍ତ ଆଉ ତା’ ସାଙ୍ଗରେ ପୋଲିସ କମିଶନର ଆସି ଠିଆ ହେଲେ ।

 

ନିସ୍ତବ୍‌ଧ ରାତି ।

 

ଜେଲର ଅନ୍ୟକୌଣସି ପ୍ରାଣୀ ଏ ବିଷୟ ଜାଣିଲେ ନାହିଁ ।

 

କେବଳ ପହରାବାଲା ପହରା ଦେଉଥିଲା, ସେ ଦୁହିଁଙ୍କୁ ଦେଖି ମିଲଟାରୀ କାଇଦାରେ ସାଲ୍ୟୁଟ ଦେଲା ।

 

କମିଶନର ସାହେବ କହିଲେ—ଦ୍ୱାର ଖୋଲ ।

 

ଦ୍ୱାର ଖୋଲାଗଲା ।

 

ଚକ୍ରଧରକୁ ଗୋଟିଏ ପୋଲିସ ଭ୍ୟାନରେ ଉଠେଇ ଦିଆଗଲା ।

 

ଜୟନ୍ତ ସେଲ ଭିତରେ ପଶିବାମାତ୍ରେ ଦ୍ୱାର ବନ୍ଦ୍‍କରି ଦିଆଗଲା । ଶୁଭରାତ୍ରୀ ଜଣେଇ କମିଶନର ସାହେବ ବିଦାୟ ନେଲେ ।

 

ପୋଲିସ ଭ୍ୟାନ୍‍ ଦୂରରେ ଅଦୃଶ୍ୟ ହୋଇଗଲା ।

 

॥ ତିନି ॥

 

ଦିନ ପରେ ରାତି….ରାତି ପରେ ଦିନ କଟିଯାଏ ।

 

ଜୟନ୍ତ ମନରେ ଅଶେଷ କ୍ଳାନ୍ତି ଆଉ ଅବସାଦ, ଜେଲଖାନାର କାହାରି ପାଖରେ ସେ ନିଜର ପରିଚୟ ଦେଇ ନାହିଁ । ସାଧାରଣ ବନ୍ଦୀମାନଙ୍କ ଭଳି ତାକୁ ଅଜସ୍ର ପରିଶ୍ରମ କରିବାକୁ ହେଉଥିଲା ।

 

ତା’ପରେ ପୁଣି ଜେଲଖାନାର କୁଖାଦ୍ୟ ଗିଳିବା ତା’ ପକ୍ଷେ ପ୍ରାୟ ଅସହ୍ୟ ହୋଇ ପଡ଼ିଥିଲା । ପୁଷ୍ଟିକର ଖାଦ୍ୟର ଅଭାବରେ ଦିନକୁ ଦିନ ତା’ର ଶରୀର ଯେମିତି ଟିକିଏ ଦୁର୍ବଳ ମନେହେଉଥିଲା ।

 

ମୁକ୍ତି ପାଇଁ ସେ ବ୍ୟାକୁଳ ଭାବରେ ପ୍ରତୀକ୍ଷା କରିଥିଲା ।

 

ଏଭଳି ଭାବରେ ସାତଦିନ କଟିଗଲା ।

 

ଶେଷରେ ତା’ର ପଳାୟନରେ ଶୁଭ ଦିନ ଆସିଲା ।

 

ସେଦିନ ସକାଳେ ତାକୁ କାମ କରିବାପାଇଁ ଅନ୍ୟ ବନ୍ଦୀମାନଙ୍କ ସହିତ ବାହାରକୁ ନିଆଗଲା ।

 

ଖାଇବା ପିଇବା ପରେ କାମର ପାଳି । ଜେଲର ଗୋଟାଏ କୋଣରେ ସେ କାମ କରୁଥିଲା । ତା’ ପାଖରେ ଥିଲା ସେଇ ପହରାବାଲାଟି । ଅନ୍ୟାନ୍ୟ ବନ୍ଦୀ ଆଉ ପହରାବାଲା ଦୂରରେ ରହିଥିଲେ ।

 

ଏଭଳି ଭାବରେ ଘଣ୍ଟାଏ କଟିଗଲା । ପ୍ରଚଣ୍ଡ ଖରାରେ ଜୟନ୍ତ ଦେହରୁ ଧାରଧାର ହୋଇ ଝାଳ ବାହାରୁଥିଲା । ଆକୁଳ ଭାବରେ ସେ ଏଇ ବିଳମ୍ବିତ ମୁହୂର୍ତ୍ତଗୁଡ଼ିକ ଶେଷ ହେବା ପାଇଁ ପ୍ରତୀକ୍ଷା କରିଥିଲା ।

 

ଉଁ….ଅ…

 

ଗୋଟାଏ ଛୋଟ ଉଡ଼ାଜାହାଜ ଠିକ୍ ଜେଲଖାନା ଉପରେ ଉଡ଼ିବାର ଦେଖାଗଲା ।

 

ପ୍ରହରୀଟି କହିଲା—ଏଥିର ହାତ ଟେକନ୍ତୁ ସାର……

 

ଜୟନ୍ତ ମୁଣ୍ଡ ଉପରକୁ ହାତ ଉଠାଇଲା ।

 

ଗୁମ୍ ଗୁମ୍ ଗୁମ୍

 

ଲାଗ ଲାଗ କେତେଗୁଡ଼ିଏ ଧୂଆଁବାଣ ଭଡ଼ାଜାହାଜ ଦେହରୁ ଖସି ଆସିଲା । ଚାରିଆଡ଼ ଧୂଆଁରେ ଅନ୍ଧାର । ପ୍ରଚଣ୍ଡ ଧୂଆଁର କୁଣ୍ଡଳୀ ଭିତରେ ଦୃଷ୍ଟିଶକ୍ତି ବ୍ୟାହତ ହୋଇଗଲା ।

 

ପ୍ରହରୀଟି କହିଲା—ମତେ ଧକ୍‌କା ମାରି ପକେଇଦେଇ ଏଇପଟ ଦେଇ ସିଧା ପଳାଇ ଯାଆନ୍ତୁ—ବାହାରେ ଗାଡ଼ି ଅପେକ୍ଷା କରିଛି ।

 

ବିଶେଷ କିଛି କହିବାକୁ ପଡ଼ିଲା ନାହିଁ ।

 

ଧପ୍ କରି ଗୋଟାଏ ଧକ୍‌କା ପ୍ରହରୀଟି ଦେହରେ ଯାଇ ବସିଲା ।

 

ଗୋଟାଏ ଚକର କାଟି ସେ ସେଇଠି ଲୋଟିପଡ଼ିଲା ।

 

ଜୟନ୍ତ ଆଉ କୌଣସିଆଡ଼େ ମୁହଁ ବୁଲାଇ ଚାହିଁବାର ଅବକାଶ ପାଇଲା ନାହିଁ । ସିଧା ତାକୁ ପଳେଇ ଯିବାକୁ ହେବ । ନିଶ୍ଚିନ୍ତ ଭାବରେ ଧାଇଁଯାଇ ସେ ଉଚ୍ଚପାଚେରୀଟା ପାଖରେ ଠିଆ ହେଲା ।

 

ସେଠାରେ ଗୋଟାଏ ଦଉଡ଼ିର ନିଶୁଣି ଝୁଲୁଥିବାର ଦେଖାଗଲା ।

 

ଜୟନ୍ତ ସେଇ ନିଶୁଣିରେ ଚଢ଼ି ପାଚେରୀ ଉପରକୁ ଉଠିଗଲା । ତା’ପରେ ଗୋଟାଏ କୁଦାରେ ରାସ୍ତା ଉପରକୁ ଡେଇଁପଡ଼ିଲା ।

 

ଆଗରେ ଗୋଟାଏ ଗାଡ଼ି ଅପେକ୍ଷା କରିଥିଲା ।

 

ଜୟନ୍ତ ଗାଡ଼ିଟା ଆଗରେ ଯାଇ ଠିଆ ହେଲା ।

 

ଗାଡ଼ି ଭିତରୁ ଗୋଟିଏ ତରୁଣୀର ସ୍ଵର ଶୁଣାଗଲା—ଆସନ୍ତୁ ଚକ୍ରଧରବାବୁ ।

 

ଜୟନ୍ତ କୌଣସି କଥା ନକହି ଗାଡ଼ି ଭିତରେ ଯାଇ ବସିଲା । ତା’ପରେ ଗାଡ଼ିଟି ତୀବ୍ରବେଗରେ ଧାଇଁବାରେ ଲାଗିଲା ।

 

ପଛରେ ଠନ୍…ଠନ୍…ଠନ୍…ହୋଇ ଜେଲର ପାଗଳା ଘଣ୍ଟି ବାଜୁଥିବାର ଶୁଣାଗଲା ।

 

ଜୟନ୍ତ ତରୁଣୀଟି ଆଡ଼େ ଚାହିଁ ପଚାରିଲା—ମୋର ପୋଷାକ ସାଙ୍ଗରେ ଆଣିଛନ୍ତି ତ-?

 

ତରୁଣୀଟି କହିଲା—ହଁ, ସେଇ ପୁଟୁଳା ଭିତରେ ଅଛି । ଚଞ୍ଚଳ ସେଗୁଡ଼ା ପିନ୍ଧି ପକାନ୍ତୁ ।

 

ଜୟନ୍ତ ଜେଲଖାନା ପୋଷାକ ଖୋଲିଦେଇ ପୁଟୁଳାରେ ଥିବା ପୋଷାକଗୁଡ଼ିକ କାଢ଼ି ପିନ୍ଧିବାରେ ଲାଗିଲା । ବର୍ତ୍ତମାନର ପୋଷାକରେ ତାକୁ ଦେଖିଲେ ଯେ କେହି କହିବ କୌଣସି ଜଣେ ବଡ଼ ଅଫିସର ।

 

ଗାଡ଼ିଟା ଅଣନିଃଶ୍ଵାସୀ ହୋଇ ଧାଇଁବାରେ ଲାଗିଛି ।

 

ତରୁଣୀଟି ଆଡ଼େ ଚାହିଁ ଜୟନ୍ତ ପଚାରିଲା—ଆମେମାନେ ବର୍ତ୍ତମାନ କେଉଁଠିକି ଯାଉଛେ ?

 

ହସିଦେଇ ତରୁଣୀଟି କହିଲା—ଚକମୁଣ୍ଡିରେ ଆମମାନଙ୍କର ଯେଉଁ ଘାଟି ଅଛି ଆପଣଙ୍କୁ ବର୍ତ୍ତମାନ ସେଠିକ ନେଇଯିବାର ଆଦେଶ ଅଛି ଚକ୍ରଧରବାବୁ ।

 

ଜୟନ୍ତ ଏଥିର ଭଲ ଭାବରେ ଝିଅଟିକୁ ଦେଖିବାର ସୁଯୋଗ ପାଇଲା ।

 

ତରୁଣୀଟି ସ୍ଵାସ୍ଥ୍ୟବତୀ ଆଉ ସୁନ୍ଦ୍‍ରୀ । ସରୁ ଟଣା ଟଣା ଆଖି । ରୂପରେ ତା’ର ଯଥେଷ୍ଟ ଆକର୍ଷଣ ରହିଛି । ବୟସ ଚବିଶ ପାଖାପାଖି ହେବ । ଅବସ୍ଥା ଦେଖି ମନେହୁଏ, ବିବାହ କରିନାହିଁ-

 

—ଆପଣ କେତେଦିନ ହେଲା ଏ ଦଳରେ ଅଛନ୍ତି । ସେକଥା ତ କହିଲେ ନାହିଁ ମିସ୍…..

 

ହସି ହସି ତରୁଣୀଟି କହିଲା—ବନଜା ଶେଠ ମୋ ନାମ । ଆପଣ ମତେ ନ ଚିହ୍ନିଲେ ବି ମୁଁ କିନ୍ତୁ ଆପଣଙ୍କର ଖ୍ୟାତି କଥା ଅନେକ ଶୁଣିଛି ଚକ୍ରଧରବାବୁ ।

 

ଉତ୍ସାହିତ ହୋଇ ଜୟନ୍ତ କହିଲା—ସତେ ନା କ’ଣ ? ତେବେ ମୋର ସେ ଇତିହାସ ବି ଅବଶ୍ୟ ଅକଳଙ୍କିତ ନୁହେଁ ।

 

—କିନ୍ତୁ ଆପଣଙ୍କର ସେ କଳଙ୍କ ହୁଏତ ଆପଣଙ୍କର ଗୌରବ ଚକ୍ରଧରବାବୁ ।

 

ଜୟନ୍ତ ହସି ହସି କହିଲା—ନା, ଅର୍ଥ ଉପାର୍ଜନ ଆଉ ବଞ୍ଚି ରହିବାର ମୋହରେ ସାରାଜୀବନ ଧରି ଅଜସ୍ର ଅନ୍ୟାୟ କରିଗଲେ ବି ତା’ ଭିତରୁ ଗୌରବର ବିଶେଷ କିଛି ଖୋଜି ପାଇନାହିଁ, ବନଜାଦେବୀ ।

 

ଜୟନ୍ତର ସ୍ୱରଟା ଗମ୍ଭୀର ।

 

ବନଜା କହିଲା—ବର୍ତ୍ତମାନ ଏ ଆଲୋଚନା ବନ୍ଦ୍‍ ରହୁ ଚକ୍ରଧରବାବୁ । ଆପଣ ଜାଣନ୍ତି ଆମମାନଙ୍କର ଦଳପତି ଗଙ୍ଗାଚାନ୍ଦ୍‍ ଏଭଳି ଆଲୋଚନା ପସନ୍ଦ୍‍ କରିବେ ନାହିଁ ।

 

ସହଜ ସ୍ଵରରେ ଜୟନ୍ତ ପଚାରିଲା—ଗଙ୍ଗାଚାନ୍ଦ୍‍ କିଏ ?

 

ତରୁଣୀଟି ଆଖି ଦୁଇଟି ବଡ଼ ବଡ଼ କରି କହିଲା—ଆଉ କେବେ ଭୁଲରେ ଏ ଧରଣର ପ୍ରଶ୍ନ କରିବାକୁ ଯିବେ ନାହିଁ । ଦସ୍ୟୁ ଗଙ୍ଗାଚାନ୍ଦ୍‍ ସମ୍ବନ୍ଧରେ ଦଳର ଯେଉଁ ଯେଉଁ ଲୋକଙ୍କର ଅନାବଶ୍ୟକ କୌତୂହଳ ପ୍ରକାଶ ପାଇଥିଲା ସେମାନଙ୍କୁ ସମସ୍ତଙ୍କୁ ମୃତ୍ୟୁ ତାଲିକାରେ ନାଆଁ ଲେଖାଇବାକୁ ହୋଇଛି ।

 

—କିନ୍ତୁ ସେମାନଙ୍କର ଅପରାଧ କ’ଣ ବନଜାଦେବୀ ?

 

—ସେମାନଙ୍କର ଅପରାଧ ବିଚାର କରିବା ଶକ୍ତି ଆମମାନଙ୍କର ନାହିଁ । ଆମେମାନେ କେବଳ ଦଳପତିଙ୍କର ଆଦେଶ ପାଳନ କରି ଯିବା ।

 

—କିନ୍ତୁ ସେଇଟା ଠିକ୍ ଭାବରେ ପାଳନ ନ କଲେ ସେ ବା ଜାଣିବେ କେମତି ?

 

—ସେକଥା ଜାଣେ ନାହିଁ । ତେବେ ଏତିକି ଜାଣେ ଯେ, ସେ ସର୍ବଜ୍ଞ । ସେ ସବୁକିଛି ଦେଖିପାରନ୍ତି, ସବୁ ଜାଣିପାରନ୍ତି, ଶୁଣିପାରନ୍ତି । ହୁଏତ ଆପଣ ଗଙ୍ଗାଚାନ୍ଦ୍‍ କିମ୍ଵା ହୁଏତ ମୁଁ ଅଥବା ଗାଡ଼ିର ଡ୍ରାଇଭର ଏଇ କରୁଣାକର ହୋଇପାରେ । ସବୁ ଜାଗାରେ, ସବୁ ସମୟରେ ଯାହାକିଛି ଘଟେ ସବୁ ସେ ଜାଣିପାରନ୍ତି ।

 

—ବୁଝିଲି । ଆଉ ଭୁଲରେ ବି ଅନାବଶ୍ୟକ କୌତୂହଳ ପ୍ରକାଶ କରିବି ନାହିଁ ବନଜାଦେବୀ ! ଛାଡ଼ନ୍ତୁ, ଏଥର ଚକମୁଣ୍ଡି ଘାଟି ଖବର କ’ଣ କହନ୍ତୁ ?

 

ବନଜା କହିବାକୁ ଲାଗିଲା—ଆପଣାଙ୍କର ବନ୍ଧୁ ବସନ୍ତ ବର୍ତ୍ତମାନ ସେଇଠି ଅଛନ୍ତି । ବସନ୍ତ, ମୁଁ ଆଉ କରୁଣାକର—ଏଇ ତିନିଜଣ ଏକାଠି କାମ କରୁଛୁ । ଆଉ ଅଛନ୍ତି ବଳରାମ ଆଉ ତାଙ୍କର ଦଳ । ବଳରାମ କିଭଳି ଉଗ୍ର ପ୍ରକୃତିର ଲୋକ ସେକଥା ତ ଆପଣ ଆଗରୁ ଜାଣିଛନ୍ତି ।

 

ଜୟନ୍ତ କହିଲା—ହଁ, ଜାଣିନାହିଁ ଆଉ କ’ଣ ?

 

ବନଜା କହିଲା—ଏଇ ବଳରାମ ସବୁ କାମରେ ଏମିତି ଗୋଟାଏ ଗୋଳମାଳ କରିବସନ୍ତି ଯେ ମଝିରେ ମଝିରେ ବଡ଼ ଅସୁବିଧା ହୁଏ । ଆଉ ତାଙ୍କ ଦଳରେ ଚାରିପାଞ୍ଚଜଣ ଲୋକ ଅଛନ୍ତି । ସେମାନଙ୍କୁ ସମ୍ଭାଳିବା ମଧ୍ୟ ସହଜ ନୁହେଁ । ଅଥଚ ବଳରାମ ପ୍ରତି ବିଷୟରେ ଆମମାନଙ୍କର ମତ ବିପକ୍ଷରେ ଯାଆନ୍ତି । ଲୋକଟି ସେମିତି ଏକବାଗିଆ, ସେମିତି ଚିଡ଼ା ପ୍ରକୃତିର-। କେମିତି ଯେ ଦଳପତି ତାଙ୍କୁ ଏପର୍ଯ୍ୟନ୍ତ ଦଳରେ ରଖିଛନ୍ତି ସେଇଟା ଆଶ୍ଚର୍ଯ୍ୟର କଥା ।

 

ଜୟନ୍ତ ପଚାରିଲା—ବସନ୍ତ ବର୍ତ୍ତମାନ କେମିତି ଅଛି ?

 

ବନଜା କହିଲା—ହଁ, ବସନ୍ତବାବୁଙ୍କ ସଙ୍ଗେ ଆପଣଙ୍କର ତ ଦୀର୍ଘ ତିନିବର୍ଷ ହେଲା ସାକ୍ଷାତ୍‍ ହୋଇନାହିଁ । ସେ ଆଗ ଅପେକ୍ଷା ସୁସ୍ଥରେ ଅଛନ୍ତି ।

 

—ଯାହାହେଉ, ଅନେକ ଦିନ ପରେ ପୁଣି ତା’ ସଙ୍ଗେ ଦେଖା ହେବ ।

 

କଥା ଶେଷ ହେଲା ନାହିଁ ।

 

କରୁଣାକର ଗାଡ଼ିରେ ବ୍ରେକ୍ ଧରିଲା । କହିଲା—ଦୂରରେ ପୋଲିସ କେତେଟା ଗାଡ଼ି ଅଟକେଇ ତଲାସ କରୁଛି । କ’ଣ କରାଯିବ……

 

ଜୟନ୍ତ ଭଲ ଭାବରେ ଥରେ ଆଗକୁ ଚାହିଁଲା । ତା’ପରେ ଆଗ ସିଟ୍‌କୁ ଯାଇ କରୁଣାକରକୁ ପାଖେଇ ଦେଇ ନିଜେ ଗାଡ଼ି ଚଳେଇବା ଆରମ୍ଭ କରିଦେଲା ।

 

ଦ୍ରୁତଗତିରେ ଗାଡ଼ି ଚଳେଇ ଆସୁଥିବାରୁ ପୋଲିସ ହାତ ଦେଖାଇ ସେମାନଙ୍କୁ ବାଧା ଦେଲା ।

 

ଗାଡ଼ିରେ ବ୍ରେକ୍ ଦେଇ ଜୟନ୍ତ ସେମାନଙ୍କୁ ପଚାରିଲା—କଥା କ’ଣ ଆଜ୍ଞା ! ଗାଡ଼ିଗୁଡ଼ାକୁ ଏଭଳି ଠିଆ କରେଇଛନ୍ତି କାହିଁକି ?

 

ପୋଲିସ ଅଫିସର କହିଲେ—ଏତେ ଜୋରରେ କାହିଁକ ଗାଡ଼ି ଚଳେଇ ଆସୁଥିଲେ କହିବେ କି ?

 

ଟିକିଏ ହସିଦେଇ ଜୟନ୍ତ କହିଲା—ସମୟ ଯାହା ହେଇଛି ନା…ସେଥିରେ ଶୀଘ୍ର ଗହଳି ଭିତରୁ ବାହାରିଯିବା ଦରକାର…..

 

—କାହିଁକି ? ଆପଣଙ୍କର ପୁଣି କ’ଣ ହେଲା ?

 

ଜୟନ୍ତ କହିଲା—ଏଇ ପୋଲ ପାଖ ମୋଡ଼ଟା ପାର ହେଲାବେଳେ ଦେଖିଲି ଗୋଟାଏ ମଟର ସାଇକେଲ ପ୍ରଚଣ୍ଡ ବେଗରେ କଡ଼ ଦେଇ ଚାଲିଗଲା । ଯେଭଳି ଭାବରେ ସେମାନେ ଯାଉଥିଲେ ଦେଖିଲେ ମନେହେବ ସେମାନେ ଉନ୍ମାଦ କିମ୍ବା ଅପରାଧୀ ।

 

—କ’ଣ କହୁଛନ୍ତି ? କେତେବେଳେ ?

 

—ଏଇ ଟିକିଏ ଆଗରୁ । ଦୁଇ ତିନି ମିନିଟ୍‍ ହେବ । ସେ ମଟର ସାଇକେଲରେ ଦୁଇଜଣ ବସିଥିଲେ । ତା’ ମଧ୍ୟରୁ ଜଣକର ବାଳ ଯେମିତି ଛୋଟ ଛୋଟ ହୋଇ କଟାଯାଇଛି ସେଥିରେ ଯେ କେହି ମନେକରିବ ଯେ ସେ କୌଣସି ଜେଲ ଫେରନ୍ତା ଲୋକ ।

 

ପୋଲିସ ଅଫିସରଙ୍କ ସ୍ୱରରେ ବିନୟତା ଫୁଟି ଉଠିଲା । ସେ କହିଲେ—ଯଦି କିଛି ମନେ ନ କରନ୍ତି, ଆପଣଙ୍କୁ ଗୋଟାଏ ଅନୁରୋଧ କରିବି ।

 

—କି ଅନୁରୋଧ କହନ୍ତୁ । ସାଧ୍ୟ ଥିଲେ ପାଳନ କରିବାର ଚେଷ୍ଟା ଅବଶ୍ୟ କରିବି ।

 

—ଆମକୁ ଆପଣଙ୍କ ଗାଡ଼ିରେ ନେଇ ଚକମୁଣ୍ଡି ଛକରେ ଓହ୍ଲାଇ ଦେବେ । ଆମେ ମାତ୍ର ଦୁଇଜଣ ଯିବୁ । ବାକି ଦଳଟା ଏଇ ତଳରାସ୍ତା ଦେଇ ଚକମୁଣ୍ଡି ଚାଲିଯିବେ । ଲୋକଗୁଡ଼ା ଯୁଆଡେ଼ ଯାଆନ୍ତୁ ନା କାହିଁକି, ଆଶା କରାଯାଏ ସେମାନଙ୍କୁ ଅବଶ୍ୟ ଧରି ହେବ ।

 

ଜୟନ୍ତ କହିଲା—ହଉ, ଗାଡ଼ିକୁ ଆସନ୍ତୁ । ଆପଣମାନଙ୍କୁ ସାହାଯ୍ୟ କରିବା ତ ଆମମାନଙ୍କର କର୍ତ୍ତବ୍ୟ ।

 

କହୁ କହୁ ଜୟନ୍ତ ଗାଡ଼ି ଷ୍ଟାର୍ଟ କଲା ।

 

॥ ଚାରି ॥

 

ଚକମୁଣ୍ଡି ଛକ ଉପରେ ପୋଲିସ ଅଫିସର ଦୁହିଁଙ୍କୁ ଓହ୍ଲାଇ ଦେବାରୁ ସେମାନେ ପ୍ରୀତିସମ୍ଭାଷଣ ଜଣେଇ ବିଦାୟ ନେଲେ ।

 

ଗାଡ଼ିର ଗତି ଆଉ ଟିକିଏ ବଢ଼ାଇ ଦେଇ ଜୟନ୍ତ ପଚାରିଲା—କେଉଁପଟେ ?

 

ବନଜା କହିଲା—ବାମପଟେ, ଚକ୍ରଧରବାବୁ ।

 

ଗାଡ଼ିଟା ପୂର୍ଣ୍ଣଗତିରେ ଧାଇଁବାରେ ଲାଗିଲା । ଜୟନ୍ତ ହାତରେ ପଡ଼ି ସେ ଯେମିତି ସମସ୍ତ ଶକ୍ତି ଖଟାଇବାକୁ ପ୍ରସ୍ତୁତ ଅଛି ।

 

ଉତ୍କଣ୍ଠାର ସହିତ ବନଜା କହିଲା—ଏତେ ଜୋରରେ ଚଳେଇଲେ ଯେକୌଣସି ମୁହୂର୍ତ୍ତରେ ବିପଦ ଘଟିପାରେ ଚକ୍ରଧରବାବୁ ।

 

ଜୟନ୍ତ କିଛି ନ ଶୁଣି ନିଶ୍ଚିନ୍ତ ମନରେ ଗାଡ଼ି ଚଳାଉଥାଏ । ଅଳ୍ପ କେତେମିନିଟ୍ ପରେ ଗାଡ଼ିଟା ଆସି ଠିକ୍ ଘାଟି ଆଗରେ ପହଞ୍ଚିଲା ।

 

ବନଜା କହିଲା—ପ୍ରକୃତରେ ଆପଣ ସୁନ୍ଦ୍‍ର ଗାଡ଼ି ଚଲେଇ ପାରନ୍ତି…

 

ଜୟନ୍ତ କଥା ନ ବଢ଼ାଇ କହିଲା—ଭିତରକୁ ଚାଲନ୍ତୁ ।

 

କରୁଣାକର ସେଠାରୁ ଗାଡ଼ିଟା ନେଇଯିବା ପରେ ଜୟନ୍ତ ବନଜା ସଙ୍ଗେ ଯାଇ ଦୋ’ମହଲାରେ ଗୋଟାଏ ଘରେ ବସିଲା ।

 

ବନଜା ତାକୁ ବିଶ୍ରାମ କରିବାକୁ କହି ବାହାରକୁ ବାହାରି ଆସି ଆଗରେ ଠିଆ ହୋଇଥିବା ଗୋଟିଏ ଚାକରକୁ କହିଲା—ଖୁବ୍‍ ଚଞ୍ଚଳ ବାବୁଙ୍କ ପାଇଁ ଜଳଖିଆ ଆଉ କପେ ଚା’ ନେଇ ଆ ।

 

ଚାକରଟି ଚାଲିଯିବାରୁ ବନଜା ଘର ଭିତରକୁ ଫେରିଆସି କହିଲା—ଆପଣ ମୁହଁହାତ ଧୋଇ ପ୍ରସ୍ତୁତ ହେଇଯାଆନ୍ତୁ ଚକ୍ରଧରବାବୁ । ବର୍ତ୍ତମାନ ଜଳଖିଆ ଆସି ପହଞ୍ଚିଯିବ ।

 

ଟିକିଏ ପରେ ଜଳଖିଆ ଆସି ପହଞ୍ଚିଲା । ସେତକ ଶେଷ କରି ଚା’କପ୍‌ଟା ଉଠେଇ ନେଇ ଜୟନ୍ତ କହିଲା—ପ୍ରକୃତରେ ବନଜାଦେବୀ ଆପଣଙ୍କର ସବୁ ବ୍ୟବସ୍ଥା ନିଖୁଣ ।

 

ବନଜା ହସିଦେଇ କହିଲା—ମୋ କର୍ତ୍ତବ୍ୟ ତ ମୁଁ ଶେଷ କଲି । ଏଥର ଆପଣଙ୍କ ଉପରେ ଯେଉଁ କର୍ତ୍ତବ୍ୟର ବୋଝ ଆସି ଲଦା ହେବ ତାକୁ ତୁଲେଇବା ଦାୟିତ୍ୱ ଆପଣଙ୍କର ।

 

ଜୟନ୍ତ କ’ଣ ଗୋଟାଏ ପଚାରିବାକୁ ଯାଉଥିଲା; କିନ୍ତୁ ତା’ଆଗରୁ ଜଣେ ଦୀର୍ଘ ଏବଂ ରୋଗାଳିଆ ଲୋକ ଘରଭିତରକୁ ପଶିଆସିଲା । ସେ ଜୟନ୍ତ ସହିତ କରମର୍ଦ୍ଦନ କରି କହିଲା—ତୋ ସଙ୍ଗେ ଆଉ କୌଣସି ଦିନ ଦେଖା ହୋଇପାରିବ ବୋଲି ମୋର ଧାରଣା ନଥିଲା । ଯାହା ହେଉ, ସର୍ଦ୍ଦାରଙ୍କ କୃପାରୁ—

 

ଜୟନ୍ତ କହିଉଠିଲା—ତା’ ଛଡ଼ା ଭାଗ୍ୟ ବି….

ଲୋକଟି ହସିଦେଇ କହିଲା—ଆମମାନଙ୍କର ସର୍ଦ୍ଦାର ଇଚ୍ଛାକଲେ ଭାଗ୍ୟରେ ନଥିବା କଥା କରିପାରନ୍ତି ।

ମନେ ମନେ ଜୟନ୍ତ ଗଭୀର ତନ୍ମୟତାର ସହିତ ଚିନ୍ତା କରୁଥିଲା ।

ଲୋକଟି ଚକ୍ରଧରର ପରିଚିତ ବନ୍ଧୁଭଳି ମନେହେଉଛି । ତେବେ ଅନେକ ଦିନ ହେଲା ତାକୁ ଦେଖି ନାହିଁ ବୋଲି ଚିହ୍ନିପାରୁନାହିଁ । ଏ ତେବେ କିଏ ? ନିଶ୍ଚୟ ଏ ସେଇ ବସନ୍ତ—ଯାହା ସଙ୍ଗେ ଚକ୍ରଧରର ତିନି ବର୍ଷକାଳ ଦେଖା ହୋଇ ନାହିଁ ବୋଲି ବନଜା ମୁହଁରୁ ସେ ଶୁଣିଛି ।

ଜୟନ୍ତ କହିଲା—ସର୍ଦ୍ଦାର ବି ତ ତୋ ମୋ ଭଳି ଲୋକମାନଙ୍କୁ ନେଇ କାମ କରେଇ ଆଜି ଏତେବଡ଼ ହେଇଛନ୍ତି, କ’ଣ କହୁଛୁ ବସନ୍ତ !

ଲୋକଟି ହସି ହସି ଜୟନ୍ତର ପିଠି ଥାପୁଡ଼େଇ କହିଲା—ତା’ ସତ; କିନ୍ତୁ କାମ ନ କରି ତ ଆମମାନଙ୍କର ଉପାୟ ନାହିଁ ।

 

—ସେକଥା ଅବଶ୍ୟ ସତ ।

 

ଲୋକଟି ଜୟନ୍ତ କନ୍ଧାରେ ହାତ ରଖି କହିଲା—ଯାହା କହ ଭାଇ, ଜେଲଖାନାର ପାଣିପବନ କେତେଟା ବର୍ଷ ଦେହରେ ବାଜି ବେଶ୍ ମୋଟେଇ ଯାଇଛୁ…ବୋଧହୁଏ କାମର କ୍ଷମତା ତୋର କମିଯାଇଛି…

 

ବାଧା ଦେଇ ବନଜା କହିଲା—ଆପଣ କ’ଣ କହୁଛନ୍ତି ବସନ୍ତବାବୁ ! ବାଟରେ ଆସିଲାବେଳେ ପୋଲିସକୁ ଖଣ୍ଡେ ଯେଉଁ ଭେଳିକି ଦେଖାଇଲେ…

 

—ସତେ ନା କ’ଣ—

 

କହୁ କହୁ ଘର ଭିତରକୁ ଦୀର୍ଘଦେହୀ, ସୁପୁରୁଷ, ବଳିଷ୍ଠ ଲୋକ ଜଣେ ପଶି ଆସିଲେ । ତା’ପରେ ଟିକିଏ କଟାକ୍ଷପାତ କରି କହିଲେ—ଏସବୁ ପିଲା ଭୁଲେଇବା ବିଦ୍ୟାରେ ତ କାମ ଚଳିବନି ଓସ୍ତାଦ, ଏଥର ଅସଲ କାମର ପାଳି ଆରମ୍ଭ ହେବ । ଏଥର ଜଣାପଡ଼ିଯିବ ତୁମର କେତେ କ୍ଷମତା ଅଛି ।

 

ଲୋକଟିର କଥା ଶ୍ଳେଷାତ୍ମକ । ଚକ୍ରଧରକୁ ସେ ଯେମିତି ଖାତିରତଳକୁ ଆଣିବାକୁ ଇଚ୍ଛା କରୁ ନାହିଁ ।

 

ବନଜା କହିଲା—ଆପଣଙ୍କର ଏ ଧରଣର ବ୍ୟବହାର ବର୍ତ୍ତମାନ ସଂଯତ ରଖିବା ଉଚିତ ବଳରାମବାବୁ । ତା’ଛଡ଼ା ଏତିକି ଦେଖି ମୁଁ ବୁଝିପାରିଛି, ଆଉ କିଛି ନ ହେଉ, ଚକ୍ରଧରବାବୁ ଆପଣଙ୍କୁ ଗାଡ଼ି ଚଲେଇବା ଶିଖେଇପାରନ୍ତି ।

 

ବଳରାମ କହିଉଠିଲା—ଖୁବ୍ ଢଳିପଡ଼ିଛ ଦେଖୁଛି ବନଜା ! ଶୁଣ ଚକ୍ରଧର, ଆଜି ଯେଉଁ କାମର ଭାର ଦିଆଯିବ ସେଇଟା ଯଦି ପାଳନ କରି ନ ପାର, ତା’ହେଲେ ଏ ଛୁରାଖଣ୍ଡକ ଦେଖୁଛ ତ….

 

ଜୟନ୍ତ ବସନ୍ତ ଆଡ଼େ ମୁହଁ ବୁଲାଇ ଦେଇ କହିଲା—ଏ ଅଭଦ୍ର ଲୋକଟାକୁ ଏଠୁ ବିଦା କରିଦେଲୁ ବସନ୍ତ । ଯାହା କାମର କଥା ସେଇଟା ମୁଁ ତୋ’ଠାରୁ ଶୁଣିବାକୁ ଇଚ୍ଛା କରୁଛି ।

 

ଗୋଟାଏ କଦର୍ଯ୍ୟ ହସରେ ସ୍ଥାନଟାକୁ ବିଷାକ୍ତ କରିଦେଇ ବଳରାମ କହି ଉଠିଲା—ଆଚ୍ଛା, ବର୍ତ୍ତମାନ ଯାଉଛି । ରାତିରେ ପରୀକ୍ଷା ହେବ । ସେତେବେଳେ ଯଦି କୁହ ଚେଷ୍ଟ ଖୋଲିପାରୁନାହିଁ କି ପାଚେରୀଟା ଡେଇଁପାରୁନାହିଁ, ସେତେବେଳେ ଏ ଛୁରାଟା ତମ ତଣ୍ଟିରେ….

 

ଦ୍ରୁତଗତିରେ ବଳରାମ ଘରୁ ବାହାରିଗଲା ।

 

ବନଜା କହିଲା—ତାଙ୍କ କଥା ଶୁଣି ରାଗିବେ ନାହିଁ ଚକ୍ରଧରବାବୁ । ଆପଣଙ୍କ ଉପରେ ଯେଉଁ କାମର ଭାର ଦିଆଯାଇଛି ଦୟା କରି ତାହା ପାଳନ କରନ୍ତୁ । କାରଣ ଆଜି ରାତିରେ ଯାହା ଚେଷ୍ଟରୁ ପାଞ୍ଚଲକ୍ଷ ଟଙ୍କାର ରତ୍ନସମ୍ଭାର ଚୋରି କରାଯିବ ସେ ହେଉଛି ମୋ ବାପାଙ୍କର ଶତ୍ରୁ । ଏଇ ନବଘନ ସ୍ୱାଇଁ ଆଉ ତା’ର ଅନ୍ୟ ଅଂଶୀଦାର ସୁବଳ ମିଶି ମୋ ବାପାଙ୍କୁ ଦାଣ୍ଡର ଭିଖାରୀରେ ପରିଣତ କରିଥିଲେ । ଶେଷ ଜୀବନରେ ବାପା ସେଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଆଉ ତା’ରି ପ୍ରତିଶୋଧ ନେବା ପାଇଁ ମୁଁ ଭଦ୍ରଘରର ଝିଅ ହେଲେ ବି ଦସ୍ୟୁ ଗଙ୍ଗାଚାନ୍ଦ୍‍ ଦଳରେ ଯୋଗ ଦେଇଛି ।

 

ବସନ୍ତ କହିଲା—ଅବଶ୍ୟ ବନଜାଙ୍କ ବାପାଙ୍କୁ ଏଭଳିଭାବେ ପ୍ରତାରିତ କରିବା ବିଷୟରେ ନବଘନ ସ୍ଵାଇଁଙ୍କର ବିଶେଷ ହାତ ନଥିଲା, କିନ୍ତୁ ତାଙ୍କର ଅନ୍ୟ ଅଂଶୀଦାର ସେଇ ସୁବଳ ହିଁ ସବୁ ଅନର୍ଥର ମୂଳ । ଛାଡ଼, ବର୍ତ୍ତମାନ ସେଇ ସୁବଳ ଆଉ ନବଘନ ସ୍ୱାଇଁ ମିଶି ଗୋପନରେ ପାଞ୍ଚଲକ୍ଷ ଟଙ୍କାର ବିଭିନ୍ନ ରତ୍ନ ଖୁବ୍ ଅଳ୍ପ ଦାମରେ କିଣି ଆଣି ଏଇ ନବଘନ ସ୍ଵାଇଁଙ୍କ ଘରେ ରଖିଛନ୍ତି । ଏଇଟା ଖୁବ୍ ଗୋପନୀୟ କଥା । ସେ ଜିନିଷଗୁଡ଼ା ବୀମା କରାଯାଇ ନାହିଁ—କାରଣ ବୀମା କଲେ ସାଧାରଣ ଲୋକେ କଥାଟା ଜାଣି ପକେଇବେ । ଆଉ ଏତେଗୁଡ଼ାଏ ରତ୍ନ ଏଠି ବିକ୍ରି ହେବା ପାଇଁ ଆସିଛି ଜାଣିଲେ ସଙ୍ଗେ ସଙ୍ଗେ ସେସବୁର ଦାମ୍ କମିଯିବାରେ ଲାଗିବ ।

 

ଜୟନ୍ତ କହିଲା—ସେ କଥାତ ସତ । ତା’ହେଲେ ତ ଏମାନେ ଖୁବ୍ ସାବଧାନୀ ଲୋକ ବୋଲି ମନେହେଉଛି ।

 

ବଡ଼ ପାଟିରେ ହସିଉଠି ବସନ୍ତ କହିଲା—ସେଇଟାତ ସତ କଥା । ଏଥର ଅସଲ କଥା ଶୁଣ । ଦଳପତିଙ୍କ ପାଖରୁ ଆଦେଶ ଆସିଛି ସେ ଜିନିଷତକ ଗୋପନରେ ଲୁଟ୍ କରିବାକୁ ହେବ । ସବୁ ପ୍ରସ୍ତୁତ ଅଛି । ବର୍ତ୍ତମାନ ସବୁ କଥା ତୋ ପାଖରେ ରହିଛି । ତାଙ୍କର ଚାକରଟାକୁ ଟଙ୍କା ଦେଇ ହାତେଇବାକୁ ହେଇଛି । ସେ ଗୋଟାଏ ଝରକା ଖୋଲା ରଖିଥିବ । ପାଚେରୀ ଡେଇଁ ପାଣି ପାଇପ୍‍ ସାହାଯ୍ୟରେ ତତେ ସେଇ ଝରକା ପାଖେ ପହଞ୍ଚିବାକୁ ହେବ । ତା’ପରେ ଦ୍ୱାର ଖୋଲି ଦେଲେ ଆମେ ସମସ୍ତେ ଘରେ ପଶିବୁ ।

 

ଜୟନ୍ତ କହିଲା—ଏଇଟା ଆଉ ବଡ଼କଥା କ’ଣ !

 

—ତୋ ପକ୍ଷେ ତ ବଡ଼କଥା ନୁହେଁ । ଛାଡ଼, ଏହାପରେ ସେ ଚେଷ୍ଟର ତାଲାଟା ତତେ ଖୋଲିବାକୁ ହେବ । ତାଲା ଖୋଲିବା ପାଇଁ ତୁ ଯେଉଁ ପ୍ରକାର ରାସାୟନିକ ଜିନିଷ ତିଆରି କରି ଜାଣୁ ତା’ଦ୍ୱାରା କାମ ଶେଷ କଲେ ଭଲ ହେବ । ଦଳପତିଙ୍କର ବି ସେଇୟା ଆଦେଶ । ବଡ଼ ତାଲା ଆଉ ଭିତର ତାଲା ଖୋଲି ଆମେମାନେ ଭିତରୁ ଜିନିଷତକ ନେଇ ବାହାରି ଆସିବା ।

 

ଜୟନ୍ତ କହିଲା—ହଉ, ଏଥର ମତେ ଟିକିଏ ବିଶ୍ରାମ କରିବାକୁ ଦିଅ । ମୋର ଉପରବେଳା ଖାଇବାଟା ଜଣେ ଚାକର ହାତରେ ପଠାଇ ଦେବ ।

 

ବସନ୍ତ ଚାଲିଗଲା । ବନଜା ବାହାରିଯିବା ଆଗରୁ ଜୟନ୍ତଆଡ଼େ ଥରେ ଚାହିଁ ପଚାରିଲା–ପାରିବେ ତ ?

 

ଜୟନ୍ତ କହିଲା—କାହିଁକି, କ’ଣ ବିଶ୍ୱାସ ହେଉ ନାହିଁ ?

 

ବନଜା କହିଲା—ନା, ସେ ପାଞ୍ଚଲକ୍ଷ ଟଙ୍କା ଭିତରୁ ଅଧେ ହେଉଛି ସଇତାନ୍ ସୁବଳର, ଯେଉଁ ସୁବଳ ମୋ ବାପାଙ୍କୁ…..

 

ଜୟନ୍ତ ପଚାରିଲା—ଆପଣଙ୍କର ପ୍ରତିହିଂସା ନେବା ପାଇଁ କ’ଣ ଆଉ କୌଣସି ଉପାୟ ନଥିଲା ବନଜାଦେବୀ ?

 

—ଏକଥା କାହିଁକି କହୁଛନ୍ତି ?

 

—ଯେତେଦୂର ଜାଣେ, ନବଘନ ସ୍ଵାଇଁଙ୍କର ଏଥିରେ ବିଶେଷ କିଛି ଦୋଷ ନାହିଁ । ତା’ପରେ ଲୋକ ହିସାବରେ ସେ ମୋଟେ ଖରାପ ନୁହଁନ୍ତି । କିନ୍ତୁ ଶାସ୍ତିଟା ଏ କ୍ଷେତ୍ରରେ ଦୁହିଁଙ୍କ ଉପରେ ପଡ଼ୁଛିନା !

 

ବନଜା ହସିଦେଇ କହିଲା—‘ସଙ୍ଗ ଦୋଷରୁ ପ୍ରାଣୀ ମରେ’ ଏକଥା ଜାଣନ୍ତି ତ ? ସୁବଳର ସଙ୍ଗ ଦୋଷରୁ ଆଜି ତାଙ୍କୁ ଦୁଃଖ ଭୋଗ କରିବାକୁ ହେବ ।

 

ହାଇ ମାରି ଜୟନ୍ତ କହିଲା—ସେଇଟା ସତ, ଏଥର ଟିକିଏ ଶୋଇବା ଦରକାର ପଡ଼ୁଛି-

 

—ହଁ ହଁ, ଆପଣ ଶୁଅନ୍ତୁ ।

 

ବନଜା ଧୀରେ ଧୀରେ ଘରୁ ବାହାରିଗଲା ।

 

॥ ପାଞ୍ଚ ॥

 

ଜୟନ୍ତ ମୁଣ୍ଡ ଭିତରେ ଅଜସ୍ର ଜଟିଳ ଭାବନା ।

 

ଏ କେତେକ ଦିନ ତାକୁ ସ୍ଵପ୍ନ ଭଳି ମନେ ହେଇଛି—ଯେମିତି କୌଣସି ଗୋଟାଏ ମିଥ୍ୟା ମୁହୂର୍ତ୍ତ ସ୍ଥାୟୀ ମରୀଚିକା—ନଶ୍ୱର ବିଭ୍ରାନ୍ତି ।

 

ତା’ର ଗୋଟା ଅକ୍ଷର ବି ସତ୍ୟ ନୁହେଁ, କୌଣସି ଦିନ ଏମିତି କିଛି ଘଟିପାରେ ନାହିଁ ।

 

ନ ଭାବିବା ଭିତରେ ବି ବୈଚିତ୍ର୍ୟର କିଛି ନାହିଁ ।

 

ତା’ର ସୁଦୀର୍ଘ ଜୀବନର ଅଜସ୍ର ଅଭିଜ୍ଞତାଗୁଡ଼ିକ ମଧ୍ୟରେ କେବେହେଲେ ଏଭଳି କିଛି ଗୋଟାଏ ଘଟିପାରେ ବୋଲି ସେ କଳ୍ପନା କରି ନାହିଁ ।

 

ବିଖ୍ୟାତ ରହସ୍ୟାନୁସନ୍ଧାନୀ ଜୟନ୍ତ ଆଜି ଗୋଟାଏ ଦସ୍ୟୁ ଦଳ ପକ୍ଷରେ କାମ କରୁଛି । ସନ୍ଧ୍ୟା ହେବା ପରେ ତାକୁ କୌଣସି ଧନୀ ବ୍ୟକ୍ତିଙ୍କର ସର୍ବସ୍ୱ ହରଣ କରିବା ପାଇଁ ବାହାରିବାକୁ ପଡ଼ିବ । ଏଥିରୁ ବିରତ ହେବାଭଳି କୌଣସି ଉପାୟ ତାକୁ ଜଣା ନାହିଁ । ଏଇଟା ତାକୁ କରିବାକୁ ହେବ ।

 

ତା’ ଛଡ଼ା କେବଳ ଧନୀ କହିଲେ ହେଲା ନାହିଁ ।

 

ରାୟବାହାଦୁର ନବଘନ ସ୍ୱାଇଁ ଜଣେ ଅମାୟିକ, ପର ଉପକାରୀ ଭଦ୍ରଲୋକ । ଜୟନ୍ତ ସହିତ ତାଙ୍କର ଯଥେଷ୍ଟ ପରିଚୟ ଅଛି, ତା’ଛଡ଼ା ସେ ତା’ର ସହକାରୀ ସୁଧୀରର ବାପାଙ୍କର ବନ୍ଧୁ ।

 

ନବଘନ ସ୍ଵାଇଁଙ୍କ କନ୍ୟା ବିଦ୍ୟୁଲତାକୁ ବି ଜୟନ୍ତ ଚିହ୍ନେ । ନିଷ୍ପାପ କୁସୁମକଳିକା ଭଳି ସୁନ୍ଦର ଝିଅଟିଏ । ରାୟବାହାଦୁରଙ୍କର ଏକମାତ୍ର ସନ୍ତାନ—ଭବିଷ୍ୟତର ଉତ୍ତରାଧିକାରିଣୀ ।

 

ଆଉ ସେ ଆଜି ସେମାନଙ୍କର ସର୍ବନାଶ ପାଇଁ ଯାଉଛି ।

 

କିନ୍ତୁ ଏହାକୁ ଅସ୍ଵୀକାର କରିବାର ଉପାୟ ନାହିଁ ।

 

ଏଇଟା ତାକୁ କରିବାକୁ ହେବ ।

 

ଦୀର୍ଘଦିନ ସୁବଳ ଭଳି ଧୂର୍ତ୍ତ ସଇତାନ୍ ସହିତରେ ଥିବାଯୋଗୁ ରାୟବାହାଦୁରଙ୍କ ଭାଗ୍ୟରେ ଯେଉଁ ପାପ ସଞ୍ଚୟ ହୋଇ ରହିଛି ଏଇଟା ତା’ରି ପ୍ରାୟଶ୍ଚିତ । ଏଥିଜନିତ ଦୁଃଖ କଷ୍ଟ ବି ରାୟବାହାଦୁରଙ୍କୁ ସମଭାବରେ ବହନ କରିବାକୁ ହେବ ।

 

କିନ୍ତୁ ଗଙ୍ଗାଚାନ୍ଦ୍‍ର ରାୟବାହାଦୁରଙ୍କ ଉପରେ ଏତେ ରାଗ କାହିଁକି ?

 

ଆଉ ଏ ଗୋପନ ଖବରଟା ସେ ଜାଣିଲା ବା କେମିତି ?

 

ଗୋଟାକ ପରେ ଗୋଟାଏ ଭାବନା ଜୟନ୍ତ ମୁଣ୍ଡ ଭିତରେ ଖେଳିବାରେ ଲାଗିଛି ।

 

କିନ୍ତୁ ଏତେ ଭାବନା କରି ମଧ୍ୟ ଏତେବେଳ ପର୍ଯ୍ୟନ୍ତ ସେ ଅସଲ କାମ ପାଇଁ ପାଦେ ବି ଆଗେଇ ପାରି ନାହିଁ ।

 

ଗଙ୍ଗାଚାନ୍ଦ୍‍ କିଏ ? କ’ଣ ତା’ର ପରିଚୟ ? କାହିଁକି ତା’ର ଆଦେଶ ଏମାନେ ଏମିତି ନିଃସଂକୋଚରେ ପାଳନ କରନ୍ତି ?

 

ସେ କ’ଣ କୌଣସି ଦିନ ଏ ରହସ୍ୟ ଭେଦ କରିପାରିବ ନାହିଁ ? ସମସ୍ତଙ୍କ ଆଖି ଆଢ଼ୁଆଳରେ ବସି ଯେଉଁ ସଇତାନ୍‌ ତା’ର ଜୟଯାତ୍ରା ପଥରେ ନିଶ୍ଚିନ୍ତ ଭାବରେ ଆଗେଇ ଚାଲିଛି କି ଉପାୟରେ ତାକୁ ପ୍ରବଳ ବାଧା ଦିଆଯାଇପାରେ ? କେମିତି ତା’ର ଗୋଡ଼ରେ ଆଇନ୍‌ର ଶିକୁଳୀ ଲଗାଯାଇ ପାରେ ?

 

କିନ୍ତୁ ସେ ଲୋକଟା କିଏ ?

 

ବସନ୍ତ…ବଳରାମ…କରୁଣାକର…ବନଜା..ନା ଚାକରଟା ଜଣ ଜଣ ହୋଇ ସମସ୍ତଙ୍କ ରୂପ ତା’ ମନ ଭିତରେ ଉଦୟ ହେଲା ।

 

ଏମାନଙ୍କ ଭିତରୁ କେହି ନୁହେଁ ତ ?

 

କିନ୍ତୁ ସେ ଯିଏ ହେଉନା କାହିଁକି, କେତେଗୁଡ଼ିଏ ବିରାଟ ଦଳକୁ ଏମିତି ଏକାଠି ସୁ ସଂଘବଦ୍ଧ କରି ଯିଏ ଚାଳନା କରୁଛି, ତା’ର ବୁଦ୍ଧିର ତୀକ୍ଷ୍ମତା ସମ୍ବଦ୍ଧରେ ସନ୍ଦେହର ଅବକାଶ ନାହିଁ ।

 

ଧୀରେ ଧୀରେ ଯେ ତନ୍ଦ୍ରା ତାକୁ ଆଚ୍ଛନ୍ନ କରି ତା’ର ଚିନ୍ତାସୂତ୍ର ଛିନ୍ନ କରି ଦେଇଛି ସେକଥା ଜୟନ୍ତ ଜାଣିପାରି ନାହିଁ ।

 

ଗଭୀର ନିଦ ।

 

ନିଦ ଭିତରେ କେତୋଟି ଘଣ୍ଟା କଟିଯାଇ ଧରଣୀ ବକ୍ଷରେ ଦେଖାଗଲା ଅନ୍ଧାରର ରାଜୁତି ।

 

ବନଜା ଡାକରେ ଜୟନ୍ତର ନିଦ ଭାଙ୍ଗିଲା ।

 

—ଖାଇବା ଜିନିଷଗୁଡ଼ା ନଷ୍ଟ ହେଇଗଲା ଚକ୍ରଧରବାବୁ ! ସତରେ କି ଗାଢ଼ ନିଦ ଆପଣଙ୍କର !

 

ଜୟନ୍ତ ଆଖି ଫିଟାଇ ଚାହିଁଲା ।

 

—ପ୍ରକୃତରେ, ଭାରି ନିଦ ଲାଗିଗଲା...ତା’ଛଡ଼ା ଭଲଭାବରେ ନ ଶୋଇଲେ ଦେହ ମନ ଫୁର୍ତ୍ତି ଲାଗେନି ।

 

—ବର୍ତ୍ତମାନ କିଛି ଖାଇବେ ନା କ’ଣ ?

 

—ନା, କେବଳ କପେ ଚା’ । ରାସ୍ତାରେ ବରଂ କୌଣସି ଗୋଟାଏ ହୋଟେଲରୁ କିଛି ଖାଇନେଲେ ଚଳିବ ।

 

ଚା’ ପିଇ ବାହାରକୁ ବାହାରି ଆସି ଜୟନ୍ତ ଦେଖିଲା ବସନ୍ତ ଆଉ ବଳରାମ ପ୍ରସ୍ତୁତ ହୋଇ ତାକୁ ଅନୁଗମନ କରିବାପାଇଁ ଠିଆ ହୋଇଛନ୍ତି ।

 

କର୍କଶ ସ୍ୱରରେ ବଳରାମ କହିଲା—ଗାଡ଼ି ପ୍ରସ୍ତୁତ ।

 

ଜୟନ୍ତ ସଂକ୍ଷିପ୍ତ ଉତ୍ତର ଦେଲା—ଚାଲ ।

 

—କିନ୍ତୁ ତୁମର ତାଲା ଖୋଲିବାର ସେ ରାସାୟନିକ……

 

ମୋ ପାଖରେ ଠିକ୍ ଅଛି । ନିଜକଥା ବୁଝିବାର ଚେଷ୍ଟାକର ବାବା ବଳରାମ ।

 

ଗୋଟାଏ କଦର୍ଯ୍ୟ ମୁଖ ଭଙ୍ଗୀ କରି ବଳରାମ ଗାଡ଼ିଆଡ଼େ ଆଗେଇଗଲା । ଜୟନ୍ତ ଯାଇ ଡ୍ରାଇଭର ଆସନରେ ବସିଲା ।

 

ଗାଡ଼ି ଧାଇଁବାରେ ଲାଗିଲା ।

 

ଚାଳିଶ…ପଚାଶ…ଷାଠିଏ…ସ୍ପିଡ୍‍ ମିଟରର ଅଙ୍କ ବଢ଼ିଚାଲିଛି ।

 

ବଳରାମ କହିଲା—ଆସ୍ତେ ଚଲାଅ ହେ !

 

ଗାଡ଼ିର ଗତି ବଜାୟ ରଖି ଜୟନ୍ତ ରସିକତା କରି କହିଲା—ମୃତ୍ୟୁକୁ ଏତେ ଭୟ !

 

ମୁଖ୍ୟ ରାସ୍ତା ଧରି ଗାଡ଼ିଟା ଆଗେଇ ଚାଲିଛି ।

 

ଚକାମୁଣ୍ଡି ଛକ ଉପରକୁ ଆସିବା ମାତ୍ରେ ଜୟନ୍ତ ପଚାରିଲା–କେତେଟା ବାଜିଲା ବଳରାମ ବାବା ?

 

ବଳରାମ କହିଲା—ସାଢ଼େ ସାତଟା ।

 

ଜୟନ୍ତ ହସିଦେଇ କହିଲା—ମାତ୍ର ! ଭାରି ଭୋକ ଲାଗିଲାଣି । କିଛି ଖାଇନେଲେ ହୁଅନ୍ତା । ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ତ ସାଢ଼େ ନଅଟା ବାଜିଯିବ ।

 

ବସନ୍ତ କହିଲା—ତା’ହେଲେ ସାମନା ହୋଟେଲକୁ ଚାଲ ।

 

ବଳରାମ ଖାଇବା ବିଷୟରେ ଆପତ୍ତି କରେ ନାହିଁ । ଗାଡ଼ିଟା ଯାଇ ଆଗରେ ଥିବା ହୋଟେଲ ପାଖରେ ଠିଆ ହେଲା ।

 

ହୋଟେଲର ମାଲିକ ଜୟନ୍ତର ପୂର୍ବପରିଚିତ । ତାକୁ ଦେଖିବାମାତ୍ରେ ଦ୍ରୁତଗତିରେ ଆସି ପଚାରିଲା—କ’ଣ ଦରକାର ଆଜ୍ଞା ?

 

ଜୟନ୍ତ ହସିଦେଇ କହିଲା—ଯାହାହେଉ, ଦେଖୁଛି ତିନିବର୍ଷ ତଳର କଥା ତମର ଏବେବି ମନେଅଛି । ଦେଲ ତିନିଟା ଭଲ ପରଟା ଆଉ ତିନି ପ୍ଲେଟ ମାଂସ ତରକାରୀ ।

 

ହୋଟେଲ ମାଲିକ ବୁଝିପାରିଲା କୌଣସି କାରଣରୁ ଜୟନ୍ତ ତା’ର ପରିଚୟ ଗୋପନ ରଖିବାକୁ ଇଚ୍ଛା କରୁଛି । ତେଣୁ କୌଣସି କଥା ନ କହି ସେ ଭିତରକୁ ଚାଲିଗଲା ।

ଟିକିଏ ପରେ ଫେରି ଆସିବାରୁ ଜୟନ୍ତ କହିଲା—କ’ଣ ଭଲ ଜିନିଷର ବରାଦ ଦେଲ ନା ଗୁଡ଼ାଏ ଅଖାଦ୍ୟ ଆଣି ଥୋଇବ ?

—ନାଇଁ, ଭଲ ଜିନିଷର ବରାଦ ଦେଇଛି……

ବାଧା ଦେଇ ଜୟନ୍ତ କହିଲା—ଚାଲିଲ ଦେଖେଁ, କ’ଣ ବରାଦ କରିଛ । ହୋଟେଲବାଲାଙ୍କୁ ବିଶ୍ୱାସ କ’ଣ, ଭଲ ବୋଲି ବାସି ମାଂସ ବି ଦେଇଦେବ !

ହୋଟେଲ ମାଲିକ କିଛି କହିବା ଆଗରୁ ଜୟନ୍ତ ତାକୁ ଟାଣି ଟାଣି ଭିତରକୁ ନେଇ ଚାଲିଗଲା ।

ଘର ଭିତରକୁ ଯାଇ ହୋଟେଲ ମାଲିକଙ୍କର ଶୁଖିଲା ମୁହଁ ଆଡ଼େ ଚାହିଁ ଜୟନ୍ତ କହିଲା–ଭୟ କରନ୍ତୁ ନାହିଁ । ଏମାନେ ହେଉଛନ୍ତି ଦସ୍ୟୁଦଳର ଲୋକ । ସେଥିପାଇଁ ମୁଁ ପରିଚୟ ଗୋପନ ରଖିବାକୁ ବାଧ୍ୟ ହୋଇଛି । ବର୍ତ୍ତମାନ ପଛପାଖ ଦ୍ଵାର ଦେଇ ମୁଁ ବାହାରକୁ ବାହାରି ଯାଉଛି । ସେମାନେ ଯେମିତି ଏପଟକୁ ନ ଆସନ୍ତି ।

ଏଣେ ବଳରାମ ଆଉ ବସନ୍ତ ଖୁସିରେ କଥାବାର୍ତ୍ତା ହେଉଥିଲେ—ଯାହା ହେଉ, ଚକ୍ରଧର ଲୋକଟାକୁ ବୋକା କରିଦେଲା । ଦେଖାଯାଉ କେମିତି ମାଂସ ସେ ଦେଉଛି । ଆମ ପାଖରେ ସେ ଚଲାକିପଣିଆ କ’ଣ ଦେଖାଇବ ।

 

ଜୟନ୍ତ ପଛପାଖ ଦ୍ଵାର ଦେଇ ସିଧା ଯାଇ ଗୋଟାଏ ଦୋକାନ ପାଖେ ପହଞ୍ଚିଲା । ନିଜର ପରିଚୟ ଦେଇ ସେଠାର ଫୋନରେ ଥାନା ସହିତ ସଂଯୋଗ ସ୍ଥାପନ କଲା ।

 

—କାହାକୁ ଖୋଜୁଛନ୍ତି ?

 

—ମୁଁ ଜୟନ୍ତ ପାଣିଗ୍ରାହୀ କହୁଛି । ଶୀଘ୍ର କମିଶନର ସାହେବଙ୍କୁ ଡାକନ୍ତୁ !

 

—ଟିକିଏ ଧରନ୍ତୁ, ବର୍ତ୍ତମାନ ଡାକି ଦେଉଛି ।

 

ଅଳ୍ପ ସମୟ ପରେ କମିଶନର ସାହେବ ଆସିଲେ ।

 

—କଥା କ’ଣ ମିଷ୍ଟର ପାଣିଗ୍ରାହୀ ?

 

—ଜରୁରୀ ସାର୍‌ । ଆଜି ଘଣ୍ଟାଏ ଖଣ୍ଡେ ପରେ ରାୟବାହାଦୁର ନବଘନ ସ୍ୱାଇଁଙ୍କର ପାଞ୍ଚଲକ୍ଷ ଟଙ୍କାର ରତ୍ନ ଲୁଟ୍‌ କରାଯିବ ।

 

—କ’ଣ କହୁଛନ୍ତି ?

 

—ହଁ ! ଆଉ ତାଲା ଖୋଲିବାର ଗୋଟାଏ ଉପଯୁକ୍ତ କେମିକାଲ ସଲିଉସନ୍ ଘରର ଚଟାଣ ଉପରେ ରଖିଦେବାର ବ୍ୟବସ୍ଥା କରିବେ । ଆଶା କରେ ବାକି ବ୍ୟବସ୍ଥାତକ……

 

—ବୁଝିଲି, ଆଉ କହିବା ଦରକାର ନାହିଁ ମିଷ୍ଟର ପାଣିଗ୍ରାହୀ ।

 

କମିଶନର ସାହବ ଫୋନ୍‌ ଛାଡ଼ିଦେଲେ ।

 

ଜୟନ୍ତ ସିଧା ଖାଇବା ବଖରାକୁ ଚାଲିଗଲା । ସେଠାରେ ଉତ୍କଣ୍ଠିତ ଭାବରେ ଥିବା ବସନ୍ତ ପଚାରିଲା—କେମିତି କ’ଣ ବ୍ୟବସ୍ଥା କଲୁ ଚକ୍ରଧର ?

 

ଜୟନ୍ତ କହିଲା—ସେମାନେ ମୋତେ ଠକିବେ ନା କ’ଣ !

 

—ବ୍ୟବସ୍ଥା କେଉଁଯାଏ ଗଲା ?

 

—ଏଇତ ଆସୁଛି, ତଟକା ଜିନିଷ ।

 

ଟିକିଏ ପରେ ମାଂସ ଆଉ ପରଟା ଆସି ପହଞ୍ଚିଲା । ଜୟନ୍ତ କହିଲା—ଆଉ ଦୁଇ ଚାରି ଖଣ୍ଡ ପରଟା ନେଇ ଆସ ।

 

॥ ଛଅ ॥

 

ଖାଇବା ପିଇବା ପର୍ବ ଶେଷକରି ଗାଡ଼ି ଯେତେବେଳେ ରାୟବାହାଦୁର ନବଘନ ସ୍ୱାଇଁଙ୍କ ଘର ଆଗରେ ପହଞ୍ଚିଲା, ସେତେବେଳକୁ ରାତି ସାଢ଼େ ନଅଟା ହୋଇଯାଇଥିଲା ।

 

ଘରଠାରୁ ଟିକିଏ ଦୂରରେ ଗାଡ଼ିଟା ରଖାଗଲା ।

 

ଦୂରରୁ ରାୟବାହାଦୁରଙ୍କ ଘରର ଦୋ’ମହଲା ଆଡ଼େ ଚାହିଁ ଜୟନ୍ତ ଦେଖିଲା ଗୋଟାଏ ଝରକା ଖୋଲା ରହିଛି ।

 

ବସନ୍ତ କହିଲା—ଯା ଚକ୍ରଧର, ପ୍ରଥମେ ତୋ ପାଳି ।

 

ଜୟନ୍ତ ମନରେ ଅନେକ ଚିନ୍ତା । କମିଶନର ସାହେବ ତା’ର କଥା ଅନୁସାରେ କାମ କରିବାକୁ ସମର୍ଥ ହୋଇଛନ୍ତି ତ ! ଦେଖାଯାଉ…

 

ପାଚେରୀ ଉପରକୁ ଉଠି ଜୟନ୍ତ ହାତ ବଢ଼ାଇ ପାଣିପାଇପଟା ଧରି ପକେଇଲା । ତା’ପରେ ପାଇପରେ ଚଢ଼ି ସେ ଏତେ ଦ୍ରୁତଗତିରେ ସେ ଝରକାଟା ପାଖେ ଯାଇ ପହଞ୍ଚିଲା ଯେ ତା’ର ପଟୁତା ଦେଖି ବଳରାମ ଆଶ୍ଚର୍ଯ୍ୟ ହୋଇ କହିଲା—ପ୍ରକୃତରେ ଲୋକଟା ଧୁରନ୍ଧର !

 

ବସନ୍ତ କହିଲା—ଚାଲ ଏଥର ଆମେ ସେପାଖକୁ ଯିବା ।

 

ପଛପାଖ ଦ୍ଵାର ଦେଇ ଦୁହେଁ ଭିତରେ ପଶିଲେ ।

 

ଜୟନ୍ତ ସେତେବେଳେ କମିଶନର ସାହେବ ତଳେ ରଖିଦେଇ ଯାଇଥିବା କେମିକାଲ ଶିଶିଟା ଉଠେଇ ନେଇ ଚେଷ୍ଟ ପାଖରେ ବସି ସେଇଟା ମନଯୋଗ ଦେଇ ନିରୀକ୍ଷଣ କରୁଥିଲା ।

 

ଘର ଭିତରକୁ ପଶି ବଳରାମ ପେନ୍‌ସିଲ୍‌ ଟର୍ଚ୍ଚଟା ଜଳେଇଲା । ଗୋଟିଏ ସରୁ ଆଲୋକରେଖା ଯାଇ ଚେଷ୍ଟ ଦେହରେ ପଡ଼ିଲା ।

 

ଜୟନ୍ତ ତାଲା ଉପରେ କେମିକାଲଟା ଢାଳିଦେଲା । ଦୁଇ ମିନିଟ୍‍ ଭିତରେ ବିରାଟ ତାଲାଟା ଖୋଲିଗଲା । ତା’ପରେ ଭିତର ତାଲାଟା ଖୋଲି ହାତ ଗଳାଇଦେଲା ।

 

ଦୁଇଟା ବିରାଟ ଥଳି ।

 

ଥଳି ଦୁଇଟା ଟାଣିଆଣି ଜୟନ୍ତ ବଳରାମ ଆଗରେ ଟେକି ଧରିଲା ।

 

ବଳରାମ କହିଲା—ମୁହଁଟା ଖୋଲ ।

 

ଥଳି ଭିତରେ ଦାମୀକା ହୀରା ପ୍ରଭୃତିର ଅସଂଖ୍ୟ ଖଣ୍ଡ ରହିଛି । ବଳରାମ ମୁହଁରେ ସାଫଲ୍ୟ ରେଖା ଫୁଟି ଉଠିଲା । ଦଳପତି ଏଥର ନିଶ୍ଚୟ ମୋଟା ଅଙ୍କର ପୁରସ୍କାର ଦେବେ । ସମସ୍ତେ ବାହାରି ଯାଇ ଗାଡ଼ିରେ ବସିଲେ ।

 

ଚକ୍ରଧରର କୃତିତ୍ଵରେ ବସନ୍ତର ମନ ଆନନ୍ଦରେ ପୂରି ଉଠିଲା । ଆଉ ବଳରାମ ମୁହଁ ଶୁଖେଇ ଗାଡ଼ିର ପଛ ସିଟରେ ବସି ରହିଥିଲା ।

 

ଦସ୍ୟୁଦଳ ଘର ଭିତରୁ ବାହାରି ଯିବା ପରେ ରାୟବାହାଦୁର ନବଘନ ସ୍ଵାଇଁଙ୍କ ଆଡ଼େ ଚାହିଁ ପୋଲିସ କମିଶନର କହିଲେ—ମୁଁ ବର୍ତ୍ତମାନ ତା’ହେଲେ ଯାଉଛି ରାୟବାହାଦୁର ।

 

ନବଘନ ସ୍ୱାଇଁ କହିଲେ—ଆପଣଙ୍କର ଉପକାର ମୁଁ ଜୀବନରେ ସୁଝିପାରିବି ନାହିଁ କମିଶନର ସାହେବ । କିନ୍ତୁ ଏମାନଙ୍କୁ ଗିରଫ ନ କରି ଏମିତି ଛାଡ଼ିଦେଲେ କାହିଁକି ?

 

ବର୍ତ୍ତମାନ ଏମାନଙ୍କୁ ଧରିଥିଲେ ଏମାନଙ୍କର ଦଳପତି ଅର୍ଥାତ୍ ଗଙ୍ଗାଚାନ୍ଦ୍‍କୁ କୌଣସି ଦିନ ଗିରଫ କରି ହୋଇ ନଥାନ୍ତା ।

 

—ସେକଥା ସତ । କିନ୍ତୁ ଏ ଗଙ୍ଗାଚାନ୍ଦ୍‍ କିଏ ?

 

—ଗଙ୍ଗାଚାନ୍ଦ୍‍ କିଏ ସେକଥା ଜାଣିବା ପାଇଁ ଆମମାନଙ୍କ ପକ୍ଷରୁ ଜଣେ ବିଖ୍ୟାତ ରହସ୍ୟାନୁସନ୍ଧାନୀଙ୍କୁ ତା’ ଦଳ ଭିତରେ ପୂରାଇ ଦିଆଯାଇଛି ।

 

—ସେଇଥିପାଇଁ କେମିକାଲ ଶିଶିଟା ସେଠାରେ ରଖାଯାଇଥିଲା ?

 

—ହଁ, ସେଇଟା ସେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏତେ ମୂଲ୍ୟବାନ ଜିନିଷ ଇନ୍‌ସିଓର ନ କରି ଆପଣ ଏଭଳି ଭାବରେ ରଖିଥିଲେ କାହିଁକି ?

 

ଇନ୍‌ସିଓର କମ୍ପାନୀରୁ କଥାଟା ପ୍ରକାଶ ପାଇ ଯାଇଥିଲେ ବଜାର ଦର କମିଯାଇପାରେ, ତେଣୁ……

 

—ଏଇଟା କ’ଣ ଆପଣଙ୍କ ଚିନ୍ତା ଅନୁସାରେ କାମ ହୋଇଥିଲା ?

 

—ନା, ମୋର ଅଂଶୀଦାର ସୁବଳର ଏ ଧାରଣା, ତେଣୁ…

 

—ବୁଝିଲି, ଆଚ୍ଛା ମୁଁ ଯାଉଛି ।

 

ସେତିକିବେଳେ ରାୟବାହାଦୁରଙ୍କ ଝିଅ ବିଦ୍ୟୁଲତା ଘର ଭିତରକୁ ପଶିଆସିଲା । ସେମାନଙ୍କ ଆଡ଼କୁ ଚାହିଁ କହିଲା—ସବୁ ଚୋରି ହୋଇଯାଇଛି ବାପା । ଆଇରନ୍‌ ଚେଷ୍ଟଟା ଖୋଲା ଥିବାର ଦେଖିଲି....

 

ରାୟବାହାଦୁର କହିଲେ—ନାଇଁ ମାଆ । ଚୋର ଆସିଥିଲେ କିନ୍ତୁ...ଛାଡ଼, ସେସବୁ କଥା ପରେ ଶୁଣିବୁ । ବର୍ତ୍ତମାନ ଶୋଇବୁ ଯା ।

 

ବିଦ୍ୟୁଲତା ଥରେ କମିଶନର ସାହେବଙ୍କୁ ଚାହିଁ ଘର ଭିତରୁ ବାହାରି ଚାଲିଗଲା ।

 

॥ ସାତ ॥

 

ଚକମୁଣ୍ଡି ଘାଟିଠାରେ ଗାଡ଼ି ପହଞ୍ଚିବା ବେଳକୁ ରାତି ଏଗାରଟା ହୋଇଯାଇଥିଲା ।

 

ଗାଡ଼ିରୁ ଓହ୍ଲାଇ ଜୟନ୍ତ କୌଣସି ଆଡ଼େ ନ ଚାହିଁ, ଗମ୍ଭୀର ଭାବରେ ସିଧା ନିଜର ବଖରାକୁ ଚାଲିଗଲା ।

 

ବିଛଣା ଉପରେ ବସି ଟେବୁଲ ଉପରେ ମୁଣ୍ଡ ରଖି ସେ ଖବର କାଗଜ ଉପରେ ନଜର ବୁଲେଇବାରେ ଲାଗିଲା ।

 

ଗୋଟାକ ପରେ ଗୋଟାଏ ଚିନ୍ତା ଆସି ତାକୁ ଆଚ୍ଛନ୍ନ କରୁଥିଲା । କାଲିର ଖବର କାଗଜରେ ନିଶ୍ଚୟ ଆଜି ଘଟଣା ପ୍ରକାଶ ପାଇବ, ଆଉ ଆଜି ନୈଶ ଅଭିଯାନର ନେତା ସେ ନିଜେ ଥିଲା ।

 

ଧୀର ପାଦଶବ୍ଦ ଶୁଣାଗଲା ।

 

ବନଜା ଆସି ପଚାରିଲା—ଠିକ୍‌ ମୁତାବକ କାମ ହେଇଛି ତ ?

 

—ହଁ ।

 

—ତାଲା ଠିକ୍‌ ଖୋଲିଲା ତ ?

 

—ମୋ କାମରେ କୌଣସି ତ୍ରୁଟି କେବେ ହୁଏ ନାହିଁ ।

 

—ସେକଥା ଜାଣେ । ସେମାନେ କେଉଁଠି ?

 

—ଏକାଠି ତ ଆସିଲୁ । ସେପଟ ଘରେ ବୋଧହୁଏ ଅଛନ୍ତି ।

 

କଥା ଶେଷ ହେବାମାତ୍ରେ ବଳରାମ ଆଉ ବସନ୍ତ ଘର ଭିତରେ ପ୍ରବେଶ କଲେ ।

 

ଦୁହିଁଙ୍କର ଭାବ ଦେଖି ମନେହେଉଥିଲା ସେମାନେ ଖୁବ୍‌ ଉତ୍ତେଜିତ ।

 

ବଳରାମ ଗୋଟିଏ ଚମଡ଼ା ଥଳି ଟେବୁଲ ଉପରେ ଖୋଲି ରଖିଲା । ତା’ ଭିତରେ ହୀରା ପ୍ରଭୃତିଗୁଡ଼ାକ ଚକ୍‌ ଚକ୍‌ କରୁଥିଲା ।

 

ବିସ୍ମିତ ହୋଇ ଜୟନ୍ତ ପଚାରିଲା—କଥା କ’ଣ ?

 

ବଳରାମ ତୀବ୍ର ସ୍ୱରରେ କହିଲା—ଏଗୁଡ଼ାକ ସବୁ ଜାଲ !

 

—ତା’ର ମାନେ ?

 

—ମାନେ ଖୁବ୍‌ ସରଳ । ନିଶ୍ଚୟ ଆଗରୁ ଖବର ପାଇ ରାୟବାହାଦୁର ଅସଲ ଜିନିଷଗୁଡ଼ା ଲୁଚେଇ କେତେଗୁଡ଼ାଏ ଜାଲ...

 

—ସିଧା ଭାବରେ କଥା କହି ଶିଖ ବଳରାମ !

 

—ତା’ର ମାନେ ?

 

—ମାନେ ଏଇୟା ଯେ, ମାତ୍ର ଆମେ କେତେଜଣ । ତା’ଛଡ଼ା ବାହାରର ଅନ୍ୟକେହି କେବଳ ଦଳପତିଙ୍କ ବ୍ୟତୀତ ଏକଥା କେହି ଜାଣନ୍ତି ନାହିଁ ।

 

—ଦଳପତି ତ ଆଉ ରାୟବାହାଦୁରଙ୍କୁ କଥାଟା ଜଣେଇବାକୁ ତ ଯାଇ ନଥିବେ ! ଆମରି ଭିତରୁ ନିଶ୍ଚୟ କେହି କଥାଟା ପ୍ରକାଶ କରିଦେଇଛି ।

 

ବଳରାମର ଏ କଥାରେ ବାଧା ଦେଇ ବସନ୍ତ କହିଲା—କିନ୍ତୁ ଧୂର୍ତ୍ତ ରାୟବାହାଦୁର ଯେ ଆଗରୁ ସାବଧାନ ହୋଇ ଅସଲ ଜିନିଷଗୁଡ଼ାକ ବଦଳରେ ନକଲି ଜିନିଷ ରଖି ଦେଇଥିଲେ ତା’ର ପ୍ରମାଣ କ’ଣ ?

 

ଜୟନ୍ତ ପଚାରିଲା—କେତେ ସମୟ ପୂର୍ବରୁ ଜାଣିପାରିଲ ଏଗୁଡ଼ାକ ଜାଲ ଜିନିଷ ବୋଲି ?

 

ବଳରାମ କହିଲା—ବର୍ତ୍ତମାନ । ମୋ ଦଳରେ ଜଣେ ରତ୍ନ ବିଶେଷଜ୍ଞ ଅଛି । ସେଇ କହିଲା ।

 

—ତା’ କଥାରେ ନିଃସନ୍ଦେହ ହେଲ କେମିତି ?

 

—ତାକୁ ମୁଁ ଯଥେଷ୍ଟ ବିଶ୍ୱାସ କରେ । ଅନ୍ତତଃ ତମମାନଙ୍କ ଅପେକ୍ଷା ଯଥେଷ୍ଟ ବେଶି ।

 

ଜୟନ୍ତ କ’ଣ କହିବାକୁ ଯାଉଥିଲା । ବାଧା ଦେଇ ବଳରାମ କହିଲା, ଛାଡ଼, ମୁଁ ମୋର ଦଳ ନେଇ ବାହାରିଲି । ବୁଢ଼ା ରାୟବାହାଦୁର ଆମମାନଙ୍କୁ ଫାଙ୍କିଦେଇଛି ସତ; କିନ୍ତୁ ଆଜି ରାତିରେ ଆଉଥରେ ଯଦି ତା’ ଘରେ ପଶି ହୁଏ, ତା’ହେଲେ ଏକାବେଳେ ଚଲାକି ଛାଡ଼ିଯିବ...

 

ହିଂସ୍ର ଦୃଷ୍ଟିରେ ଜୟନ୍ତ ଆଡ଼େ ଥରେ ଚାହିଁ ଦେଇ ବଳରାମ ଦ୍ରୁତ ପଦକ୍ଷେପରେ ଘର ଭିତରୁ ବାହାରିଗଲା ।

 

ସେ ବାହାରି ଯିବାରୁ ବନଜା କହିଲା—ଲୋକଟା ସବୁଦିନେ ଏମିତି ଚିଡ଼ା ପ୍ରକୃତିର । ଟିକିଏ ବି ପରିବର୍ତ୍ତନ ହେବାର ଦେଖୁନି ।

 

ଜୟନ୍ତ କହିଲା—ଚିଡ଼ିବାର କାରଣ ବି ଅବଶ୍ୟ ଅଛି । ଆମେମାନେ ଯେ ଏଭଳି ଭାବରେ ଠକାମିରେ ପଡ଼ିବା ସେଇଟା ତ ଭାବି ନଥିଲେ । ଏତେଗୁଡ଼ାଏ ପରିଶ୍ରମ ବ୍ୟର୍ଥ ହେଲେ ଚିଡ଼ି ଲାଗିବା କଥା ।

 

ଜୟନ୍ତ କଥାର କେହି ଉତ୍ତର ଦେଲେ ନାହିଁ ।

 

ବାହାରେ ଗାଡ଼ି ଶବ୍ଦ ଶୁଣାଗଲା । ବସନ୍ତ କହିଲା—ବଳରାମ ବୋଧହୁଏ ତା’ର ଦଳବଳ ନେଇ ବାହାରିଗଲା ପରି ମନେହେଉଛି । କିନ୍ତୁ ଦଳପତିଙ୍କୁ ନ ଜଣେଇ ତା’ର ଏଭଳି କାମ କରିବା ଉଚିତ ହେଇ ନାହିଁ । ଯଦି ଅସଲ ଜିନିଷ ନ ମିଳେ ତା’ହେଲେ ତାକୁ କଇଫତ୍‌ ଦେବାକୁ ହେବ ।

 

ବନଜା ଝରକା ପାଖେ ଠିଆ ହୋଇ ବାହାରକୁ ଚାହୁଁଥିଲା ।

 

ଦୁଇଘଣ୍ଟା ପରେ ।

 

ଜୟନ୍ତର ନିଦ ଭାଙ୍ଗିଗଲା ।

 

ବାହାରେ ଗାଡ଼ି ରହିବାର ଶବ୍ଦ ଶୁଣାଯାଉଛି । ଜୟନ୍ତ ଉଠିଯାଇ ଝରକା ପାଖରେ ଠିଆ ହେଲା । ଘର ଭିତରେ କେହି ନାହାଁନ୍ତି ।

 

ଟିକିଏ ପରେ ଧପ୍‌ ଧପ୍‌ ହୋଇ ବଳରାମ ଆସି ପହଞ୍ଚିଲା । ତା’ ଦଳର ଦୁଇଜଣ ଲୋକ ଗୋଟାଏ ନାରୀ ଦେହ ବହନ କରି ଘର ଭିତରକୁ ପ୍ରବେଶ କଲାଭଳି ଜୟନ୍ତର ମନେହେଲା ।

 

ସେ ତଳକୁ ଓହ୍ଲାଇ ଆସିଲା ।

 

ଆଗ ବଖରାରେ ଗୋଟାଏ ଉଜ୍ଜ୍ୱଳ ଆଲୋକ ଜଳୁଛି । ସେଠାରେ ବସନ୍ତ, ବନଜା ଆଉ କରୁଣାକର ଠିଆ ହୋଇଛନ୍ତି ।

 

ବଳରାମ ଆଉ ତା’ର ଦଳବଳ ସେଠାରେ ପହଞ୍ଚିଲେ । ସେମାନଙ୍କ ସହିତ ବନ୍ଦିନୀ ରାୟବାହାଦୁରଙ୍କ କନ୍ୟା ବିଦ୍ୟୁଲତା ।

 

ବନଜା ପଚାରିଲା—ଏ କ’ଣ ? ଏହାକୁ କାହିଁକି ଆଣିଲେ ?

 

ବଳରାମ ତା’ ପ୍ରଶ୍ନର ଉତ୍ତର ନ ଦେଇ ଜଣେ ଅନୁଚର ଆଡ଼େ ଚାହିଁ କହିଲା—ଏହାକୁ ସେ କୋଣ ଘରଟାରେ ବନ୍ଦ କରିଦିଅ ।

 

ତା’ପରେ ସମସ୍ତଙ୍କ ଆଡ଼େ ଥରେ ଚାହିଁ କହିଲା—ମୁଁ ତାକୁ ଆଣିଛି, ତା’ର ସବୁ ଦାୟିତ୍ୱ ବି ମୋର । କୌଣସି ଅନାବଶ୍ୟକ ପ୍ରଶ୍ନ ମୁଁ ଶୁଣିବାକୁ ଇଚ୍ଛା କରୁ ନାହିଁ ।

 

ଜୟନ୍ତ ବାଧା ଦେଇ କହିଲା—କିନ୍ତୁ ଦଳପତିଙ୍କର କୌଣସି ଆଦେଶ ନ ପାଇ ତମେ ତାକୁ ବନ୍ଦିନୀ କରି ଆଣିବାଟା ଉଚିତ ହେଇ ନାହିଁ ବଳରାମ ।

 

ଲୋକ ଦୁଇଜଣ ବିଦ୍ୟୁଲତାକୁ ନେଇ ଚାଲିଗଲେ । ବଳରାମ ଗମ୍ଭୀର ଭାବରେ ଖଣ୍ଡେ ଚେୟାର ଉପରେ ବସି ସିଗାରେଟରେ ଅଗ୍ନି ସଂଯୋଗ କଲା । ତା’ପରେ ମୁଣ୍ଡଟା ହଲାଇ ହଲାଇ କହିଲା—ହୁଁ, ଦଳପତିଙ୍କ ଆଦେଶ ମାନିବା ପାଇଁ ସମସ୍ତେ ଖୁବ୍‌ ତତ୍ପର ଦେଖୁଛି ।

 

ଜୟନ୍ତ କହିଲା—ବର୍ତ୍ତମାନ ସେଇଟା ଆମମାନଙ୍କର ଦାୟିତ୍ୱ ।

 

—କିଏ ଦଳପତି ? କୋଉଠି ଦଳପତି ? ଯାହାକୁ ଦେଖି ହେବ ନାହିଁ, ତା’ର ଆଦେଶ ମାନି ଚଳିବା ମୋ ଜାତକରେ ନାହିଁ । ଏଥର ଏମିତି ଗୋଟାଏ ଖେଳ ଲଗେଇ ଆସିଛି ଯେ ରାୟବାହାଦୁର ବୁଢ଼ା ଅସଲ ଜିନିଷ ଦେବାଯାଏ ତର ସହିବନି ।

 

ବନଜା କହିଲା—କଥାଟା ଯେମିତି ସବୁଦିନେ ମନେରହେ ? ପରେ ପୁଣି ଯେମିତି ପ୍ରାଣ ଭୟରେ ନ କୁହ ଯେ ଗଙ୍ଗାଚାନ୍ଦ୍‍ ହିଁ ବାପା-ମାଆ ।

 

—ବଳରାମ ଜୀବନକୁ ଏତେ ଭୟ କରେନି । ନିହାତି କିଛି ଟଙ୍କାର ଦରକାର ଥିଲା, ସେଥିପାଇଁ ଗଙ୍ଗାଚାନ୍ଦ୍‍ ଦଳକୁ ଆସି ଅଗ୍ରିମ ମୋଟା ଅଙ୍କର ଟଙ୍କା ପାଇ ଯାଇଛି । ଭୟ କାହାକୁ କହନ୍ତି ସେଇଟା ଅନ୍ୟକେହି ଜାଣିଥିବ, କିନ୍ତୁ ବଳରାମ ଜାଣେନି ।

 

ଜୟନ୍ତ କହିଲା—କେବଳ ଗପିଲେ ବୀରତ୍ୱ ଜଣାପଡ଼େ ନାହିଁ !

 

କମରରେ ଥିବା ଛୁରାଟାରେ ହାତପକେଇ ବଳରାମ କହିଲା—କ’ଣ ବୀରତ୍ୱ ତମ ପାଖରୁ ଶିଖିବାକୁ ହେବ ନା କ’ଣ ?

 

ମୁହଁରେ ହସ ବଜାୟ ରଖି ଜୟନ୍ତ ଶାନ୍ତ ସ୍ୱରରେ କହିଲା—କେବଳ ଛୁରା କାହିଁକି, ଯଦି ହାତରେ ଗୋଟାଏ ରିଭଲଭର ଧରି ପଚାରିଲେ ବି ସେଇ ଉତ୍ତର ଦେଇ ଥାଆନ୍ତି । ଅସଲ ଜିନିଷ ଖୋଜି ନ ପାଇ ଗୋଟିଏ ଝିଅକୁ ଆଣି ଅଟକେଇ ରଖିବାରେ କୌଣସି ବୀରତ୍ୱ ନାହିଁ । ବୀରତ୍ୱ କାହାକୁ କହନ୍ତି ସେଇଟା ବର୍ତ୍ତମାନ ତୁମକୁ ଦଳପତିଙ୍କ ପାଖରୁ ଶିଖିବାକୁ ହେବ ।

 

ବଳରାମ ହୁଂକାରି ଉଠି କହିଲା, —ମୁହଁ ସମ୍ଭାଳି କଥା କହିବା ଅଭ୍ୟାସ ତୁମର ନାହିଁ ଦେଖୁଛି ।

 

—ଅବଶ୍ୟ ତୁମକୁ ଡରି ନୁହେଁ ।

 

—କ’ଣ ?

 

ପଲକମାତ୍ରେ ବଳରାମ ଛୁରିଟା ଜୟନ୍ତକୁ ଲକ୍ଷ୍ୟ କରି ନିପେକ୍ଷ କଲା ।

 

ଜୟନ୍ତ ସେଥିପାଇଁ ପ୍ରସ୍ତୁତ ଥିଲା ।

 

ସଙ୍ଗେ ସଙ୍ଗେ ସେ ଗୋଟାଏ ପାଖକୁ ଆଡ଼େଇ ହୋଇଗଲା ଛୁରିଟା ଯାଇ କବାଟ ଦେହରେ ବସିଲା ।

 

ବଳରାମ ପୁଣି ସେଇଟା ଉଠେଇ ଆଣିବାକୁ ନ ଯାଇ ଆଗେଇ ଆସି ଜୟନ୍ତ ମୁଣ୍ଡକୁ ଲକ୍ଷ୍ୟ କରି ଗୋଟାଏ ଥାପଡ଼ ମାରିଲା ।

 

ଜୟନ୍ତ ବସିପଡ଼ି ଥାପଡ଼ଟାରୁ ନିଜକୁ ରକ୍ଷା କଲା । ତା’ପରେ ବଳରାମର ହାତଟାକୁ ଏଭଳି ଭାବରେ ମୋଡ଼ିଦେଲା ଯେ ସେ ଖୁବ୍‌ ଜୋରରେ ଘରର ଗୋଟାଏ କୋଣରେ ଯାଇ ପଡ଼ିଲା ।

 

ବନଜା ଆଉ ବସନ୍ତ ଦୁହେଁ ଖୁସିହୋଇ ଜୟନ୍ତ ଆଡ଼େ ଚାହିଁ ରହିଥିଲେ ।

 

ବଳରାମ ବୁଝିପାରିଲା ଏକୁଟିଆ ଜୟନ୍ତ ସଙ୍ଗେ ଲଢ଼ାଇ କରିବା ତା’ ପକ୍ଷେ ସମ୍ଭବ ନୁହେଁ ।

 

ଜୟନ୍ତ ଦେହରେ ଯେମିତି ପ୍ରଚଣ୍ଡ ଶକ୍ତି, ସେମିତି କୌଶଳ ନିପୁଣତା ମଧ୍ୟ ରହିଛି ।

 

ସେଇଠି ଦେହରୁ ଧୂଳି ଝାଡ଼ୁ ଝାଡ଼ୁ ଘର ଭିତରୁ ବାହାରିଗଲା । ଜୟନ୍ତ ଆଡ଼େ ଥରେ କେବଳ ଚାହିଁ ଦେଇ ଦ୍ରୁତଗତିରେ ଯାଉ ଯାଉ କହିଲା, —ଦିନେ ନିଶ୍ଚୟ ୟା’ର ଉପଯୁକ୍ତ ଶିକ୍ଷା ପାଇବ ।

 

ଜୟନ୍ତ ତା’ ଆଡ଼େ ତାତ୍ସଲ୍ୟ ଦୃଷ୍ଟିରେ ଚାହିଁ ବସନ୍ତକୁ ପଚାରିଲା—ସେ ପୁଣି କୁଆଡ଼େ ଗଲା ?

 

ବସନ୍ତ କହିଲା—ବୋଧହୁଏ ସେ ଏଠା ଛାଡ଼ି ଚାଲିଯିବ ।

 

ବନଜା କହିଲା—ତାକୁ ରଗେଇ ଭଲ କଲେନି ଚକ୍ରଧରବାବୁ ।

 

—କାହିଁକି ?

 

—ପୃଥିବୀରେ ତା’ର ଅସାଧ୍ୟ କାମ କିଛି ନାହିଁ ।

 

—ତାକୁ ବାଧା ଦେବାର ସାଧ୍ୟ ମୋର ଅଛି ।

 

ଟିକିଏ ପରେ ବାହାରେ ଗାଡ଼ିଶବ୍ଦ ଶୁଣାଗଲା ।

 

କରୁଣାକର ଘର ଭିତରକୁ ଆସି କହିଲା, ବଳରାମବାବୁ ଚାଲିଗଲେ ।

 

ଜୟନ୍ତ ପଚାରିଲା—ସେମାନେ ସମସ୍ତେ କ’ଣ ଚାଲିଗଲେ ?

 

—ହଁ ଆଜ୍ଞା !

 

ବସନ୍ତ କହିଲା—ଆମମାନଙ୍କ ଭିତରୁ ଜଣକୁ ସର୍ଦ୍ଦାର ଠିକ୍‌ କରିନିଆଯାଉ । ନହେଲେ କାମର ଅସୁବିଧା ହୋଇପାରେ ।

 

ବନଜା କହିଲା—ସେକଥା ସତ । ଜଣକର ମତ ଅନୁସାରେ କାମ ଚଳିବା ଉଚିତ ।

 

ବିକାଶ କହିଲା—ତୁ ତା’ହେଲେ ସର୍ଦ୍ଦାର ହୁଅ ଚକ୍ରଧର । ତୋ ଛଡ଼ା ଆମ ଭିତରେ ଆଉ କିଏ ଯୋଗ୍ୟ ଲୋକ ଅଛି ।

 

—ହଉ, ଏଥିରେ ମୋର ଆପତ୍ତି ନାହିଁ, କିନ୍ତୁ ତା’ଦଳରେ କେତେଜଣ ଲୋକ ଚାଲିଗଲେ ?

 

—ସେମାନଙ୍କ ଦଳରେ ସାତଜଣ ଲୋକ ଥିଲେ ।

 

...ହୁଁ, ବର୍ତ୍ତମାନ ଆମମାନଙ୍କୁ ଟିକିଏ ଅସୁବିଧାରେ ପଡ଼ିବାକୁ ହେବ । କିନ୍ତୁ ଦଳପତି କ’ଣ ଏ ଅନ୍ୟାୟ କାମର ପ୍ରତିବିଧାନ କରିବେ ନାହିଁ ?

 

ବନଜା କହିଲା—ହୁଏତ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଆମେମାନେ କ’ଣ କରିବା ?

 

ଜୟନ୍ତ କହିଲା—ପ୍ରଥମେ ଦେଖି ଆସେ ସେ ଝିଅଟା କେମିତି ଅଛି, ତା’ପରେ ଯାହା କିଛି ଠିକ୍‌ କରାଯିବ ।

 

କିନ୍ତୁ କୋଣ ଆଡ଼ ବଖରାଟା ପାଖରେ ପହଞ୍ଚି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

 

ବିଦ୍ୟୁଲତା ଘରେ ନାହିଁ । ଦ୍ୱାର ଖୋଲା ରହିଛି ।

 

ବଳରାମ ବିଦ୍ୟୁଲତାକୁ ସାଙ୍ଗରେ ତା’ହେଲେ ନେଇଯାଇଛି ।

 

ବସନ୍ତ ଉତ୍ତେଜିତ ହୋଇ କ’ଣ କହିବାକୁ ଯାଉଥିଲା । ଜୟନ୍ତ ତାକୁ ବାଧାଦେଇ କହିଲା–ଯାହାକିଛି ବ୍ୟବସ୍ଥା କରିବା କଥା ମୁଁ କରିବି ବସନ୍ତ । ଅଯଥା ଉତ୍ତେଜିତ ହୋଇ କୌଣସି ଲାଭ ନାହିଁ ।

 

ଜୟନ୍ତ ଆଡ଼େ ଚାହିଁ ବସନ୍ତ ଦେଖିଲା ତା’ ମୁହଁରେ ଚିନ୍ତାର ରେଖା ଫୁଟି ଉଠିଛି ।

 

॥ ଆଠ ॥

 

ସମୟ ସକାଳ ନଅଟା ।

ଘନ ଘନ ଟେଲିଫୋନର ଚିତ୍କାର ପୋଲିସ କମିଶନରଙ୍କୁ ବିଚଳିତ କରି ପକେଇଲା । ରିସିଭର ଉଠେଇ ଶୁଣିବାକୁ ପାଇଲେ ରାୟବାହାଦୁର ନବଘନ ସ୍ୱାଇଁ ଜରୁରୀ କାରଣରୁ ତାଙ୍କୁ ଡାକୁଛନ୍ତି ।

ସଙ୍ଗେ ସଙ୍ଗେ ଗାଡ଼ିଧରି ସେ ରାୟବାହାଦୁରଙ୍କ ଘରେ ଯାଇ ପହଞ୍ଚିଲେ ।

ରାୟବାହାଦୁର ସାମନା ବାରଣ୍ଡାରେ ଅପେକ୍ଷା କରିଥିଲେ । ସାରା ମୁହଁରେ ତାଙ୍କର ଉଦବେଗର ଚିହ୍ନ । ବେଶଭୂଷା ଅସ୍ତବ୍ୟସ୍ତ । ମୁଣ୍ଡର ବାଳ ଅଲରା ।

କମିଶନର ସାହେବଙ୍କୁ ଦେଖିବାମାତ୍ରେ ଧାଇଁ ଯାଇ ତାଙ୍କୁ ଲକ୍ଷ୍ୟ କରି କହିଲେ—କାଲିରାତିରେ ସେମାନଙ୍କୁ ଗିରଫ କରିଥିଲେ ମୋର ଆଜି ଏ ଦଶା ହେଇ ନଥାନ୍ତା କମିଶନର ସାହେବ !

—କଥା କ’ଣ ରାୟବାହାଦୁର ?

—ଦସ୍ୟୁମାନେ ପୁଣିଥରେ ମୋ ଘରେ ପଶି ମୋର ଏକମାତ୍ର କନ୍ୟା ବିଦ୍ୟୁଲତାକୁ ଜୋର୍‌ କରି ଧରି ନେଇ ଯାଇଛନ୍ତି । ତା’ପରେ ବୈଠକ ଘରେ ଏ ଚିଠିଖଣ୍ଡକ ପଡ଼ିଥିବାର ଦେଖିଲି-

—କ’ଣ ଲେଖା ହୋଇଛି ସେଇଟାରେ ?

—ପଢ଼ି ଦେଖନ୍ତୁ ।

କମିଶନର ସାହେବ ଚିଠିଟା ନେଇ ପଢ଼ିବାରେ ଲାଗିଲେ ।

ପ୍ରିୟ ରାୟବାହାଦୁର,

ଆମମାନଙ୍କୁ ଯେ ଏତେ ସହଜରେ ଠକି ହୁଏନି ତା’ର ପ୍ରମାଣ ଆପଣ ପାଇଲେ । ଆମେ ଜାଣୁ କିଭଳିଭାବେ ‘ଠକକୁ ଠକ ଜିତେ’ ପଦ୍ଧତି ଅବଲମ୍ବନ କରିବାକୁ ହୁଏ । ଆପଣଙ୍କର ଝିଅ ଆମମାନଙ୍କ ହାତରେ ବନ୍ଦିନୀ । ଭୟ ନାହିଁ, ଆମେମାନେ ତାଙ୍କର କୌଣସି ଅନିଷ୍ଟ କରିବୁ ନାହିଁ । ପାଞ୍ଚଲକ୍ଷ ଟଙ୍କାର ଯେଉଁ ରତ୍ନଗୁଡ଼ିକ ଆପଣଙ୍କ ପାଖରେ ଅଛି, ସେତକ ଆମ ହାତରେ ସମର୍ପଣ କଲେ ସେ ମୁକ୍ତି ପାଇବେ ।

ଆମର ଇଚ୍ଛା, ତିନିଦିନ ମଧ୍ୟରେ ସେ ଜିନିଷତକ ଆମ ହାତରେ ଆସି ପଡ଼ିବ । ଆପଣ ଯଦି ସେଗୁଡ଼ିକ ଦେବା ପାଇଁ ଇଚ୍ଛା କରନ୍ତି, ତେବେ ଆପଣଙ୍କ ଶୋଇବାଘର ଆଲମାରିରେ ରଖିଦେଲେ ଯଥା ସମୟରେ ସେଗୁଡ଼ିକ ଆମର ହସ୍ତଗତ ହେବ ।

ଆଶା କରେ ପୋଲିସକୁ ଖବର ଦେବେ ନାହିଁ । ଆଉ ଦେଲେ ବି ସେମାନଙ୍କର କ୍ଷମତା ନାହିଁ ଯେ ଆମ ହାତରୁ ସେ ଆପଣଙ୍କ ଝିଅଙ୍କୁ ଉଦ୍ଧାର କରିବେ । ବରଂ ସେଥିରେ ପରିଣତି ଖରାପ ହୋଇପାରେ ।

 

ଦସ୍ୟୁ ବଳରାମ ।

 

ଚିଠିଖଣ୍ଡି ପଢ଼ିବା ଶେଷ କରି କମିଶନର ସାହେବ ପଚାରିଲେ—ଆପଣ କ’ଣ କରିବେ ବୋଲି ଠିକ୍ କରିଛନ୍ତି ?

 

ରାୟବାହାଦୁର କହିଲେ—ସେଇତ ଦୁଶ୍ଚିନ୍ତାର ବିଷୟ । ଏ ପାଞ୍ଚଲକ୍ଷ ଟଙ୍କାର ଜିନିଷ ଏକୁଟିଆ ମୋର ନୁହେଁ ।

 

—ସତେନା କ’ଣ ?

 

—ହଁ, ଏଥିରୁ ଅଧେ ହେଉଚି ମୋର ଅଂଶୀଦାର ସୁବଳ ପରିଡ଼ାଙ୍କର । ମୁଁ ଯଦି ସବୁଯାକ ରତ୍ନ ଦସ୍ୟୁମାନଙ୍କୁ ଦେଇଦିଏ, ତେବେ ତାଙ୍କୁ ଅଢ଼େଇଲକ୍ଷ ଟଙ୍କା ମତେ ଦେବାକୁ ହେବ ।

 

—ବୁଝିଲି; କିନ୍ତୁ ବର୍ତ୍ତମାନ ସେସବୁ ଜିନିଷ ତ ବିକ୍ରି କରିଦେଲେ ଚଳିବ ନାହିଁ ।

 

—ସେକଥା ବୁଝୁଛି । କିନ୍ତୁ ମୋର ଅଂଶୀଦାର ସବୁକଥା ଶୁଣିଲେ ନିଶ୍ଚୟ ଏଗୁଡ଼ିକ ବିକ୍ରି କରିଦେବା ପାଇଁ ଲଗେଇବେ ।

 

—ଆପଣ ତାଙ୍କୁ ବୁଝେଇବେ ଯେ ବଜାରର ଅବସ୍ଥା ପରୀକ୍ଷା ନ କରି ସେଗୁଡ଼ିକ ବିକ୍ରି କରାଯାଇ ପାରିବ ନାହିଁ ।

 

—ସେକଥା ତ ସତ; କିନ୍ତୁ ଆପଣ ଠିକ୍ କେତେଦିନ ଭିତରେ ମୋ ଝିଅକୁ ମୁକ୍ତ କରିପାରିବେ ବୋଲି ଭlବୁଛନ୍ତି ?

 

—ଆମ ଦଳର ଜଣେ ରହସ୍ୟାନୁସନ୍ଧାନୀ ଦସ୍ୟୁ ଗଙ୍ଗାଚାନ୍ଦ୍‍ ଦଳରେ ଅଛନ୍ତି । ଆଉ ଏ ଦସ୍ୟୁ ବଳରାମ ବି ମନେହୁଏ ଗଙ୍ଗାଚାନ୍ଦ୍‍ ଦଳର ଜଣେ ହେବ । ମୋର ଯଥେଷ୍ଟ ବିଶ୍ୱାସ ଅଛି ଯେ ଦୁଇ ଚାରି ଦିନ ଭିତରେ......

 

—ଆପଣଙ୍କ କଥା ଉପରେ ମୋର ଯଥେଷ୍ଟ ଆସ୍ଥା ଅଛି କମିଶନର ସାହେବ । ମୁଁ ଖୁସିରେ କହୁଛି ମୋ ଝିଅକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଦଶ ହଜାର ଟଙ୍କା ପୁରସ୍କାର ଦେବି ।

 

—ପୁରସ୍କାରଟା ଆମକୁ ନ ଦେଇ ରହସ୍ୟାନୁସନ୍ଧାନୀ ଜୟନ୍ତ ପାଣିଗ୍ରାହୀଙ୍କୁ ଦେବେ ।

 

—ବିଖ୍ୟାତ ଡିଟେକ୍‍ଟିଭ୍‌ ଜୟନ୍ତ ପାଣଗ୍ରାହୀ ?

 

—ହଁ, ସେ ଯଥା ସମୟରେ ସମ୍ବାଦ ଦେଇ ଆପଣଙ୍କର ରତ୍ନଗୁଡ଼ିକ ରକ୍ଷା କରିଥିଲେ । ମୋର ମନେହୁଏ ଆପଣଙ୍କ ଝିଅଙ୍କୁ ମଧ୍ୟ ରକ୍ଷା କରିବା ପାଇଁ ସେ ସମର୍ଥ ହେବେ ।

 

—ଭଗବତୀଙ୍କର ଅସୀମ ଦୟା । ସେ ଯେତେବେଳେ ଏ ବିଷୟରେ ହାତ ଦେଇଛନ୍ତି ସେତେବେଳେ ମୋର ଆଉ କୌଣସି ଭୟ ନାହିଁ ।

 

—କିନ୍ତୁ ଗୋଟାଏ କଥା ରାୟବାହାଦୁର ।

 

—କି କଥା କହନ୍ତୁ ।

 

—ଏ କଥା ଯେମିତି ପୃଥିବୀର କୌଣସି ଦ୍ୱିତୀୟ ଲୋକ ଜାଣି ନ ପାରେ ।

 

—ସେ ତ ନିଶ୍ଚୟ ।

 

—ଏମିତିକି ଆପଣଙ୍କର ଅଂଶୀଦାର ବି ନୁହଁ ।

 

—ବୁଝିଲି ।

 

—ଆଚ୍ଛା, ମୁଁ ବର୍ତ୍ତମାନ ଯାଉଛି ରାୟବାହାଦୁର, ଦେଖେଁ କେତେଦୂର ସଫଳତା ଅର୍ଜନ କରିପାରୁଛି ।

 

କହୁ କହୁ କମିଶନର ସାହେବ ଘରୁ ବାହାରି ଚାଲିଗଲେ ।

 

କମିଶନର ସାହେବ ଯିବାର ଅଳ୍ପ ସମୟ ପରେ ରାୟବାହାଦୁର ନବଘନ ସ୍ୱାଇଁଙ୍କ ଅଂଶୀଦାର ସୁବଳ ପରିଡ଼ା ଆସି ତାଙ୍କ ଘରେ ପହଞ୍ଚିଲେ । ଗେଡ଼ାଳିଆ ଲୋକ । ଆଖିର ଚାହାଣିରେ ଅନେକଟା ସ୍ଵଭାବସୁଲଭ ଧୂର୍ତ୍ତତାର ଚିହ୍ନି ରହିଛି । ବୟସ ଚାଳିଶରୁ ସାମାନ୍ୟ ବେଶି ହେବ ।

 

ବିନା ଭୂମିକାରେ ସେ ଆରମ୍ଭ କଲେ—ଶୁଣିଲି, କାଲି କେଉଁଠି ଦଳେ ଦସ୍ୟୁ ଆପଣଙ୍କ ଘରେ ଆକ୍ରମଣ ଚଳେଇଥିଲେ ।

 

—ହଁ ।

 

—ସେମାନଙ୍କ ଉଦ୍ଦେଶ୍ୟ କ’ଣ ?

 

—ରତ୍ନଗୁଡ଼ିକ ଲୁଟି କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । କିନ୍ତୁ ମୁଁ ଆଗରୁ ସାବଧାନ ହୋଇ ଆଇରନ୍‌ ଚେଷ୍ଟରେ କେତେଗୁଡ଼ିଏ ନକଲି ଜିନିଷ ରଖି ଅସଲ ଜିନିଷ ଅନ୍ୟଠାରେ ଲୁଚେଇ ଦେଇଥିଲି, ତେଣୁ ସେମାନେ ସଫଳ ହେଇ ନାହାନ୍ତି ।

 

—ରକ୍ଷା ମିଳିଲା, ଅନ୍ୟ କୌଣସି ଦୁର୍ଘଟଣା ଘଟିନି ତ ।

 

—ଜୋର୍‌ କରି ସେମାନେ ମୋ ଝିଅକୁ ଧରି ନେଇ ଯାଇଛନ୍ତି ।

 

—କ’ଣହେଲା ! ଉଦ୍ଦେଶ୍ୟଟା କ’ଣ ?

 

—ଏବେବି ଠିକ୍ ଜାଣିପାରି ନାହିଁ ।

 

—ବଦମାସଗୁଡ଼ାକୁ କୁକୁର ଭଳି ମାରିଦେବା ଉଚିତ ।

 

—କିନ୍ତୁ ଧରିବେ କେମିତି ?

 

—ସେକଥା ଥାଉ, ବର୍ତ୍ତମାନ ଏଗୁଡ଼ାକ ବିକ୍ରି କରିଦେବା ଉଚିତ ।

 

—ନିଶ୍ଚୟ । ଉପଯୁକ୍ତ ଗରାଖ ଚେଷ୍ଟାରେ ତ ଅଛି ।

 

—ହଁ, ଯେତେଶୀଘ୍ର ହୁଏ । କିନ୍ତୁ ମୁଁ ଭାବୁଛି ରାୟବାହାଦୁରଙ୍କ, ଏ ଗୋପନ-ରତ୍ନ କଥା ପ୍ରକାଶ ପାଇଲା କେମିତି ?

 

—ସେକଥା ତ ମୁଁ ବୁଝିପାରୁନି ।

 

—ଯେଉଁ ଖବର ବଜାରରେ ପହଞ୍ଚି ପାରିନାହିଁ, ଗୋଟାଏ ସାମାନ୍ୟ ଦସ୍ୟୁଦଳ ସେକଥା ଯଦି ଆଗରୁ ଜାଣି ପକେଇଲେ ତେବେତ ବଡ଼ ବିପଦର କଥା !

 

—କିନ୍ତୁ ଆମ ଦୁହିଁଙ୍କ ବ୍ୟତୀତ ଅନ୍ୟକେହି ତ ଏକଥା ଜାଣନ୍ତି ନାହିଁ ।

 

—ଆପଣ ଯେମିତି ଖୋଲା ମନର ଲୋକ–କଥାରେ କଥାରେ ହୁଏତ କାହାକୁ କେତେବେଳେ....

 

—ନା, ଏକମାତ୍ର ବିଦ୍ୟୁଲତା ଛଡ଼ା....

 

—ତା’ହେଲେ ହେଲା ! ଝିଅଙ୍କ ପେଟରେ କି କଥା ରହେ ନା କ’ଣ ? ଛାଡ଼ନ୍ତୁ, ଆଉ ଏମିତି ଭୁଲ କୌଣସି ଦିନ ଯେମିତି ନ କରନ୍ତି । ଆଉ ଯେତେଶୀଘ୍ର ପାରନ୍ତି ସେଗୁଡ଼ିକ ବିକ୍ରିର ବ୍ୟବସ୍ଥା କରନ୍ତୁ ।

 

ସୁବଳ ପରିଡ଼ା ଯିବା ପାଇଁ ଉଠି ଠିଆ ହେଲେ ।

 

॥ ନଅ ॥

 

ସେଦିନ ଜଳଖିଆ ଖାଇବା ସମୟରେ ଉତ୍ତେଜନା ଦେଖାଗଲା ।

 

ଜୟନ୍ତ ହାତରେ ଖଣ୍ଡେ ଚିଠି ରହିଛି । ସେଇଦିନ ଡାକରେ ଆସିଛି । ସ୍ପଷ୍ଟ ଅକ୍ଷରରେ ଲେଖା ହୋଇଛି । ଜୟନ୍ତ ସେଇଟା ସମସ୍ତଙ୍କୁ ଦେଖାଇଲା ।

 

ସେଥିରେ ଲେଖାଥିଲା :—

 

ପ୍ରିୟ ଚକ୍ରଧର,

 

କାଲି ତୁମ କାମରେ ମୁଁ ସନ୍ତୁଷ୍ଟ ହୋଇଥିଲି । କିନ୍ତୁ ସେ ବିଶ୍ୱାସଘାତକ ବଳରାମ ଯୋଗୁ ତମେ ସଫଳ ହୋଇପାରି ନାହଁ ବୋଲି ମୋର ଧାରଣା ।

 

ଛାଡ଼, ମୁଁ ନିଜେ ତାକୁ ଶାସ୍ତି ଦେବା ଭାର ଗ୍ରହଣ କରୁଛି । ମୋର ଆଦେଶ ନ ପାଇ ଇଚ୍ଛା ଅନୁସାରେ କାମ କରିବା ଦଣ୍ଡ ସେ ଭୋଗ କରିବ ।

 

ଏଥର ତୁମ ଉପରେ ଯେଉଁ କାମର ଭାର ଦିଆଯିବ, ସେଇଟା ଯେମିତି କଠିନ ସେମିତ ଗୁରୁତ୍ଵପୂର୍ଣ୍ଣ । ବଳରାମ ତଳବଜାର ମାଧବ ନିବାସରେ ସଶସ୍ତ୍ର ଅବସ୍ଥାରେ ରହୁଛି ଏବଂ ବିଦ୍ୟୁଲତା ମଧ୍ୟ ସେଠାରେ ବନ୍ଦିନୀ ହୋଇ ରହିଛି । ତମେମାନେ ସେଠାରୁ ବିଦ୍ୟୁଲତାକୁ ଛଡ଼େଇଆଣି ଆମର ଏଠାରେ ରଖିବ ।

 

ଆଶା କରେ ତମେ କେତେଜଣ ମିଶି ଏ କାମଟା ସମ୍ପନ୍ନ କରିପାରିବ । ଏଥିପାଇଁ ତୁମ ତିନିଜଣଙ୍କୁ ହଜାରେ ଲେଖାଏଁ ଟଙ୍କା ପୁରସ୍କାର ଦେବି । ଆଉ ତୁମ ଦଳର ଅନ୍ୟମାନଙ୍କୁ ବି କିଛି କିଛି ପୁରସ୍କାର ଦେବାର ବ୍ୟବସ୍ଥା କରିବି ।

 

ଇତି—

ଗଙ୍ଗାଚାନ୍ଦ୍‍

 

ଚିଠିଖଣ୍ଡକ ପଢ଼ି ଜୟନ୍ତ ଆଡ଼େ ଚାହିଁ ବନଜା କହିଲା—ଏଥର ତ ସ୍ୱୀକାର କରିବେ ଚକ୍ରଧରବାବୁ, ଯେ ଆମର ଦଳପତି ସର୍ବଜ୍ଞ ।

 

ହସିଦେଇ ଜୟନ୍ତ କହିଲା—ସେଇଟା ତ ସତ ।

 

କିନ୍ତୁ ସେତେବେଳେ ସେ ଅନ୍ୟ ଚିନ୍ତା କରୁଥିଲା...

 

ସେ ଭାବୁଥିଲା, ଦସ୍ୟୁ ଗଙ୍ଗାଚାନ୍ଦ୍‍କୁ ଏମାନେ ଯାହା ଭାବନ୍ତି, ସେ ଠିକ୍ ତା’ ନୁହେଁ । ଜୟନ୍ତ ଯେ ଖବରଟା ଜଣେଇଛି ସେଇଟା ସେ ବୁଝିପାରିନାହିଁ । ତା’ର ଧାରଣା, ଏହା ମୂଳରେ ବଳରାମ ଅଛି । ଅବଶ୍ୟ ବଳରାମର ପରବର୍ତ୍ତୀ କର୍ମଧାରା ତା’ର ସୂଚନା ଦେଉଛି ।

 

କିନ୍ତୁ....

 

ଦସ୍ୟୁ ଗଙ୍ଗାଚାନ୍ଦ୍‍ ତା’ହେଲେ କିଏ ?

 

ଡ୍ରାଇଭର କରୁଣାକର କିମ୍ୱା ବସନ୍ତ ନୁହେଁ ତ ? ନା, ସ୍ଵୟଂ ରାୟବାହାଦୁର ନବଘନ ସ୍ୱାଇଁ ? ନା, ନା, ଏଇଟା ମୋଟେ ନୁହେଁ । ଏସବୁ କ’ଣ ସେ ଏଣୁ ତେଣୁ ଭାବୁଛି !

 

ଜୟନ୍ତ କହିଲା—ତା’ହେଲେ ମୁଁ ଆଜି ସନ୍ଧ୍ୟାରେ ଯାଉଛି ସେ ଝିଅଟାକୁ ଉଦ୍ଧାର କରି ଆଣିବି ।

 

ବିସ୍ମିତ ହୋଇ ବସନ୍ତ କହିଲା—ତୁ ଏକା ଯିବୁ ?

 

—ହଁ, ତମେମାନେ ଇଚ୍ଛା କଲେ, ଦୂରରେ ଥାଇ ଦେଖିପାର ।

 

ବନଜା କହିଲା—କିନ୍ତୁ ଦଳର ଜଣେ ଦୁଇଜଣ......

 

—ବେଶି ଲୋକରେ କାମର ସୁବିଧା ହୁଏ ନାହିଁ, ବରଂ ତା’ର ଓଲଟା....

 

ବସନ୍ତ କହିଲା—ଭଲ କରି ଭାବି ଦେଖ ଚକ୍ରଧର ।

 

—ଖୁବ୍ ସୁସ୍ଥ ମସ୍ତିସ୍କରେ ମୁଁ କଥାଟା କହୁଛି ।

 

—ହଉ, ତତେ ଯେତେବେଳେ ସର୍ଦ୍ଦାର ବୋଲି ସ୍ଥିର କରିଛୁ, ସେତେବେଳେ ତୋର ଆଦେଶ ମାନି ଆମେମାନେ ଚଳିବୁ । ତୋ ସାଙ୍ଗରେ ଯାଇ ଦୂରରେ ରହି ଦେଖିବୁ । ଯଦି କୌଣସି ବିପଦ ଘଟେ, ବରଂ...

 

—ସାହାଯ୍ୟର ଚେଷ୍ଟାକରିବ ? କିଛି ଦରକାର ହେବ ନାହିଁ । ଛାଡ଼, କେତେକ ଜିନିଷପତ୍ର ଦରକାର ହୋଇପାରେ । ସେଗୁଡ଼ିକର ବ୍ୟବସ୍ଥା କରି ଆସେ । ଦେଢ଼ ଘଣ୍ଟା ଭିତରେ ମୁଁ ଫେରିବି । ଖାଇବା ଜିନିଷ ପ୍ରସ୍ତୁତ କରି ରଖିଥିବ ବନଜାଦେବୀ ।

 

କହୁ କହୁ ଜୟନ୍ତ ଘରୁ ବାହାରି ଚାଲିଗଲା ।

 

କେତେକ ଅଙ୍କା ବଙ୍କା ରାସ୍ତାରେ ଗାଡ଼ି ବୁଲେଇ ଜୟନ୍ତ ଯେତେବେଳେ ନିଶ୍ଚିନ୍ତ ହେଲା ଯେ ତାକୁ କୌଣସି ଗାଡ଼ି ଅନୁସରଣ କରୁନାହିଁ, ସେତେବେଳେ ସେ ସିଧା ଥାନାରେ ଯାଇ ହାଜର ହେଲା । ଏକାବେଳେ କମିଶନର ସାହେବଙ୍କ ଚେମ୍ୱରରେ ।

 

—ସୁପ୍ରଭାତ ମିଷ୍ଟର ପାଣିଗ୍ରାହୀ ! କେତେଦୂର ଆଗେଇଲେ ?

 

—ଆଗେଇଛି....

 

—କିନ୍ତୁ ଏପଟେ ଯେ ହାଲହୋଳି ପଡ଼ିଯାଇଛି !

 

—ବୁଝିଛି, ବିଦ୍ୟୁଲତା ବିଷୟରେ ତ ?

 

—ହଁ, କ’ଣ କରାଯିବ କହନ୍ତୁ ତ ?

 

—ସେଇ ବିଷୟରେ ତ ଆପଣଙ୍କ ପାଖକୁ ଆସିଛି । ଆଜି ରାତିରେ ତାକୁ ଉଦ୍ଧାର କରାଯିବ ।

 

—କେମିତି ?

 

ଜୟନ୍ତ କମିଶନର ସାହେବଙ୍କୁ ସବୁ କଥା ଖୋଲି ଜଣେଇଲା । ଅବଶେଷରେ କହିଲା–ମୁଁ ଯେତେବେଳେ ବିଦ୍ୟୁଲତାକୁ ଧରି ମୁଖ୍ୟ ରାସ୍ତା ଉପରକୁ ଉଠି ଆସିବି, ଠିକ୍ ସେତିକିବେଳେ ଆପଣଙ୍କର ପୋଲିସ ବୋଝେଇ ଗାଡ଼ି ଗୋଟାଏ ଛୋଟ ଧକ୍‌କା ଦେବ ।

 

—ତା’ପରେ ?

 

—ତା’ପରେ ମୁଁ—ମାନେ ପଳାତକ ଦସ୍ୟୁ ଚକ୍ରଧର ଗାଡ଼ିରୁ ଡେଇଁ ପଳାଇଯିବି, ଆଉ ଆପଣମାନେ ଝିଅଟିକୁ ଡାକ୍ତରଖାନାରେ ଦେବା ପାଇଁ ଆପଣଙ୍କ ଗାଡ଼ିକୁ ଉଠାଇନେବେ । ଦୋଷଟା ମୋର ହେବ ନାହିଁ, ଆପଣମାନଙ୍କର ଉଦ୍ଧାର କାମ ବି ସାଧିତ ହେବ ।

 

—କିନ୍ତୁ ଆପଣ ଏକୁଟିଆ କ’ଣ ସେ ବିରାଟ ଦସ୍ୟୁବ୍ୟୁହରୁ ସେ ଝିଅଟିକୁ ଉଦ୍ଧାର କରିପାରିବେ ?

 

—ସେ ଭାର ସମ୍ପୂର୍ଣ୍ଣ ମୋ ଉପରେ ।

 

—ହଉ, ଆମ କାମ ଆମେ ଯତ୍ନର ସହିତ ପାଳନ କରିବାକୁ ଚେଷ୍ଟା କରିବୁ ।

 

—ଧନ୍ୟବାଦ !

 

ଥାନାରୁ ବାହାରି ଜୟନ୍ତ ସିଧା ତା’ ଘରକୁ ଚାଲିଗଲା । ସେଠାରେ ତା’ର ସହକର୍ମୀ ବନ୍ଧୁ ସୁଧୀର ଖବରକାଗଜ ପଢ଼ୁଥିଲା । ଜୟନ୍ତକୁ ଦେଖି ପଚାରିଲା—କିରେ, ଏତେଦିନ ପରେ ଭୂତ ହୋଇ ନା କ’ଣ ?

 

—ନା, କାମ ପାଇଁ ଏବଂ ମଣିଷ ରୂପରେ ।

 

—ତୋ ଗଙ୍ଗାଚାନ୍ଦ୍‍ ବିଷୟ କ’ଣ ହେଲା ?

 

—ଆଉ ଦିନ ଚାରିଟା ଲାଗିବ ବୋଧୁହୁଏ….

 

—ହଉ, କାମର କଥା କ’ଣ କହ !

 

—ସମୟ ଅଳ୍ପ । ତୁ ଆଜି ରାତି ସାଢ଼େ ଆଠଟାରେ ତଳବଜାରର ମାଧବ ନିବାସ ଆଗରେ ଅପେକ୍ଷା କରିଥିବୁ । ମୁଁ ଦୋମହଲାରେ ଥିଲାବେଳେ ତତେ କେତେକ କାମ କରିବାକୁ ପଡ଼ିବ ।

 

—କି କାମ ?

 

—କହୁଛି ସବୁ, ପାଖ ଘରକୁ ଚାଲ । ଆମର ସେ ସ୍ମୋକ ବମ୍‍ଗୁଡ଼ାକ ଅଛି ତ ?

 

—ଅଛି ।

 

—ଠିକ୍ ଅଛି, ଆ ଶୁଣ୍‍….

 

॥ ଦଶ ॥

 

ରାତି ଆଠଟା ।

 

ମୌନ, ସ୍ତବ୍‌ଧ ରାତି । ନିର୍ଜନ ।

 

ତଳବଜାରର ଏ ଅଞ୍ଚଳଟା ଆହୁରି ନିର୍ଜନ ।

 

ଖଣ୍ଡେ ଗାଡ଼ି ଆସି ତଳବଜାରର ମାଧବ ନିବାସ ଆଗରେ ଠିଆ ହେଲା । ଗାଡ଼ି ଭିତରୁ ଜୟନ୍ତ ଏକୁଟିଆ ଓହ୍ଲାଇଲା ।

 

ଦ୍ରୁତପଦରେ ଘରଟାର ଦ୍ଵାର ପାଖକୁ ଯାଇ କବାଟଟାକୁ ଜୋରରେ ଖଟ ଖଟ କଲା ।

 

—କିଏ ?

 

କବାଟ ଫିଟାଇ ଜଣେ ପେଶୀବହୁଳ ଦୀର୍ଘକାୟ ଲୋକ ପଚାରିଲା ।

 

—ମୁଁ ବଳରାମ ସଙ୍ଗେ ଦେଖା କରିବାକୁ ଆସିଛି ।

 

—ଆପଣଙ୍କର ନାମ ?

 

—ଚକ୍ରଧର ବୋଲି ମୋତେ ସମସ୍ତେ ଜାଣନ୍ତି ।

 

—ଆଚ୍ଛା, ଟିକିଏ ଠିଆ ହୁଅନ୍ତୁ । ମୁଁ ପଚାରି ଆସେଁ ।

 

ଲୋକଟି ଭିତରକୁ ଯାଇ ଟିକିଏ ପରେ ଫେରିଆସି କହିଲା—ଆପଣଙ୍କର ଭିତରକୁ ଯିବାରେ ଅବଶ୍ୟ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ତା’ ଆଗରୁ ଆପଣଙ୍କର ସାରା ଶରୀର ଭଲଭାବରେ ତଲାସ ନେବାକୁ ହେବ ।

 

—ଆଚ୍ଛା ହଉ, ଦେଖ । କୌଣସି ମାରାତ୍ମକ ଅସ୍ତ୍ର ମୁଁ ସାଙ୍ଗରେ ଆଣି ନାହିଁ ।

 

ଲୋକଟି ଜୟନ୍ତର ପକେଟ ପ୍ରଭୃତି ଭଲ ଭାବରେ ପରୀକ୍ଷା କରି ତାକୁ ସାଙ୍ଗରେ ନେଇ ଦୋମହଲାର କୋଣ ଆଡ଼େ ଥିବା ଗୋଟାଏ ବଖରାକୁ ନେଇଗଲା ।

 

ପାହାଚ ଦେଇ ଉଠିଲାବେଳେ ଜୟନ୍ତ ଲକ୍ଷ୍ୟ କଲା ତଳମହଲାର ଗୋଟାଏ ବଖରାରେ ତାଲା ପଡ଼ିଛି ।

 

ଜୟନ୍ତ ବୁଝିପାରିଲା, ଏଇ ବଖରାଟାରେ ନିଶ୍ଚୟ ବିଦ୍ୟୁଲତାକୁ ବନ୍ଦୀ କରି ରଖାଯାଇଛି-

 

ଦୋମହଲାକୁ ଉଠି କୋଣ ବଖରାର କବାଟ ଖଟ ଖଟ କରିବାରୁ ସେଇଟା ଖୋଲିଗଲା ।

 

ଘରର ଠିକ୍ ମଝିରେ ଖଣ୍ଡେ ଚେୟାରରେ ବଳରାମ ବସିଛି । କମରରେ ତା’ର ଗୋଟାଏ ରିଭଲଭର । ଆଉ ଟେବୁଲ ଉପରେ ଗୋଟିଏ ସୁଦୀର୍ଘ ଛୁରା ରହିଛି ।

 

ବଳରାମ ପଚାରିଲା—କଥା କ’ଣ ଚକ୍ରଧର ?

 

—ତମ ସଙ୍ଗେ ଦେଖା କରିବାକୁ ଆସିଲି…. ତମ କଥା ଭୁଲିପାରୁ ନାହିଁ । ତେଣୁ……

 

—ବୁଝିଲି, ଉଦ୍ଦେଶ୍ୟଟା କ’ଣ ଶୁଣେ ?

 

—ବିଦ୍ୟୁଲତାକୁ ସାଙ୍ଗରେ ନେଇ ଯିବାକୁ ଭାବୁଛି ।

 

—କ’ଣ ଜବରଦସ୍ତି ?

 

—କାହିଁକି, ମୋ କ୍ଷମତା କଥା କ’ଣ ତୁମକୁ ଅଜ୍ଞାତ ଅଛି ?

 

—ତା’ ବୋଲି ମୋ ଘରକୁ ଆସି ମୋତେ ଶାସନ ? ଖୁବ୍ ମୁହଁ ବଢ଼ିଯାଇଛି ଦେଖୁଛି ।

 

—ମୁହଁର କଥାକୁ ମୁଁ କାମରେ ପରିଣତ କରି ଜାଣେ ।

 

—କେମିତି କରିବ ଦେଖାଉନ….

 

କଥା ଶେଷ ହେଲା ନାହିଁ ।

 

ହଠାତ୍ ଗୋଟାଏ ପ୍ରଚଣ୍ଡ ଶବ୍ଦ ଶୁଣାଗଲା ।

 

ସେ ପ୍ରଚଣ୍ଡ ଶବ୍ଦର ତୀବ୍ରତାରେ ସମଗ୍ର ଘରଟା ଯେମିତି ଥର ଥର ହୋଇ ଥରିଉଠିଲା-

 

ଝରକା ବାଟ ଦେଇ ଦୁଇଟି ଧଳା ଗୋଲ ପଦାର୍ଥ ଆସି ଘର ଭିତରେ ପଡ଼ିଥିଲା । ସାରା ବଖରାଟି ଧୂଆଁରେ ଆଚ୍ଛନ୍ନ ହୋଇଗଲା । ଜୟନ୍ତ ବୁଝିପାରିଲା ଏଇଟା ସୁଧୀରର କାମ ।

 

ଜୟନ୍ତ ଯେମିତି ଏଇ ମୁହୂର୍ତ୍ତଟାକୁ ଅପେକ୍ଷା କରିଥିଲା । ଗୋଟାଏ କୁଦାରେ ସେ ଘର ଛାଡ଼ି ବାହାରକୁ ଚାଲିଆସିଲା ।

 

ତାକୁ ବାଧା ଦେବା ପାଇଁ ବଳରାମ ସାମାନ୍ୟ ଅବକାଶ ପାଇଲା ନାହିଁ ।

 

ପ୍ରବଳ ଧୂଆଁ ସେତେବେଳକୁ ଘରସାରା ଖେଳୁଥିଲା । ଜୟନ୍ତ ଚିତ୍କାର କରି ଉଠିଲା—ନିଆଁ ! ନିଆଁ !

 

ଆଠ ଦଶଜଣ ଦସ୍ୟୁ ଦୋମହଲାର ସେଇ ବଖରାଟା ଆଡ଼େ ଧାଇଁ ଗଲେ । ସେଇ ଅବସରରେ ଜୟନ୍ତ ତଳମହଲାର ସେଇ ବନ୍ଦ୍‍ କୋଠରୀଟା ଆଗରେ ଠିଆ ହେଲା । ତା’ପରେ ଦେଖାଗଲା ଆଉ ଦୁଇଟି ସ୍ମୋକ ବମ୍ ଦୋମହଲା ପାହାଚ ପାଖରେ ଆସି ପଡ଼ିଲା ।

 

ଦସ୍ୟୁମାନେ ସମସ୍ତେ ଯେତେବେଳ ଦୋମହଲାର ଘଟଣା ନେଇ ବ୍ୟସ୍ତ, ସେତେବେଳେ ପ୍ରବଳ ଗୋଇଠା ମାରି ଜୟନ୍ତ ତଳମହଲାର ବନ୍ଦ୍‍ କବାଟଟା ଫିଟାଇ ପକାଇଲା । ଭିତରକୁ ଯାଇ ଦେଖିଲା ଆଗରେ ବିଦ୍ୟୁଲତା ଶୋଇଛି । ଗୋଡ଼ ହାତ ବନ୍ଧା ହୋଇଛି । ଜୟନ୍ତ ତାକୁ କୋଳେଇ ଧରି ଦ୍ରୁତଗତିରେ ଗାଡ଼ିକୁ ଚାଲି ଆସିଲା ।

 

ଗାଡ଼ିରେ ବସି ଜୟନ୍ତ ଦେଖିଲା ସୁଧୀର ତା’ କଥା ଅନୁସାରେ କାମ କରିଛି । ଝରକା ବାଟ ଦେଇ କେତୋଟି ସ୍ମୋକ ବମ୍‍ ପକେଇ ଦସ୍ୟୁମାନଙ୍କୁ ଛତ୍ରଭଙ୍ଗ କରିଦେଇଛି । ସେମାନେ ନିଜ ନିଜର ଅବସ୍ଥା ସମ୍ଭାଳିବାରେ ବ୍ୟସ୍ତ ହୋଇ ପଡ଼ିଛନ୍ତି ।

 

ଜୟନ୍ତ ଗାଡ଼ିରେ ଉଠି ସିଧା କିଛିଟା ଆଗେଇଗଲା । ସେଠାରେ ଗୋଟାଏ ବତୀଖୁଣ୍ଟ ଅଢ଼ୁଆଳରେ ବସନ୍ତ ଆଉ ବନଜା ଠିଆହୋଇ ଏସବୁ ଘଟଣା ଲକ୍ଷ୍ୟ କରୁଥିଲେ । ସେମାନଙ୍କୁ ଜୟନ୍ତ ଗାଡ଼ିରେ ଧରି ମୁଖ୍ୟ ରାସ୍ତା ଉପରକୁ ବାହାରି ଆସିଲା ।

 

ହଠାତ୍ ସମ୍ମୁଖ ଆଡ଼ୁ ଗୋଟାଏ ପୋଲିସ ବୋଝେଇ ଗାଡ଼ି ଆସୁଥିବାର ଦେଖାଗଲା ।

 

ଜୟନ୍ତ ଯତ୍ନର ସହିତ ପାଖ କଟେଇ ନେଉଥିଲା; କିନ୍ତୁ ଆଗ ଗାଡ଼ିଟା ବୁଲିଆସି ତା’ ଗାଡ଼ି ସହିତ ଧକ୍କା ଖାଇଲା….ପ୍ରଚଣ୍ଡ ସଂଘର୍ଷ…

 

ପ୍ରବଳ ଶବ୍ଦ….ଚିତ୍କାର…..ଗଣ୍ଡଗୋଳ….

 

ଜୟନ୍ତ, ବସନ୍ତ ଆଉ ବନଜା ଗାଡ଼ି ଭିତରୁ ଡେଇଁ ଧାଇଁବାରେ ଲାଗିଲେ ।

 

ପୋଲିସ ବାହିନୀ ଆସି ଗାଡ଼ିଟାକୁ ଘେରିଗଲେ । ଆକସ୍ମିକ ଦୁର୍ଘଟଣାରେ ବିଦ୍ୟୁଲତା ସଜ୍ଞାଶୂନ୍ୟ ହୋଇ ପଡ଼ିଥିଲା । ତାକୁ ଡାକ୍ତରଖାନାରେ ପହଞ୍ଚାଇ ଦେବା ପାଇଁ ପୋଲିସ ଅଫିସର ନିଜ ଗାଡ଼ିକୁ ନେଇ ଗଲେ ।

 

ଏଣେ ଜୟନ୍ତ ଯେ କୋଉ ବାଟ ଦେଇ ପଳେଇଗଲା ସେକଥା ବସନ୍ତ କିମ୍ବା ବନଜା କେହି ବୁଝିପାରିଲେ ନାହିଁ ।

 

॥ ଏଗାର ॥

 

ପରଦିନ ଭୋରରୁ ଆଉ ଖଣ୍ଡେ ଚିଠି ଆସିଲା ।

 

ପ୍ରିୟ ଚକ୍ରଧର,

 

ତୁମମାନଙ୍କ କାମରେ ଖବ୍ ଖୁସି ହୋଇଛି । ତୁମର କାମପଦ୍ଧତି ଖୁବ୍ ନିଖୁଣ ହୋଇଥିଲା । କିନ୍ତୁ ସାମାନ୍ୟ ଗୋଟାଏ ଦୁର୍ଘଟଣାରେ ବିଦ୍ୟୁଲତା କରଛଡ଼ା ହୋଇଗଲା । ସେ ଦୋଷ ଅବଶ୍ୟ ତୁମର ନୁହେଁ ।

 

ଏଥିସହିତ ତୁମମାନଙ୍କ କାମର ପୁରସ୍କାର ପଠାଇଲି । ବାଣ୍ଟିନେବ । ଆଉ ତା’ ସଙ୍ଗେ ଯେଉଁକଥା ଲେଖୁଛି ତାକୁ ଠିକ୍ ମୁତାବକ ପାଳନ କରିବ ।

 

ଚକମୁଣ୍ଡି ଘାଟି ଉପରେ ପୋଲିସର ଦୃଷ୍ଟି ପଡ଼ିଛି । ତେଣୁ ଶୀଘ୍ର ସେ ଘର ଛାଡ଼ି ଦେବ ! ତମେ ହରି ପାଟଣାର ଏଗାର ନମ୍ୱର ଘରେ ଯାଇ ରୁହ ।

 

ବନଜା ବଡ଼ବଜାରରେ ଯେଉଁ କୋଠାଟା ଭଡ଼ା ନେଇଛି ବର୍ତ୍ତମାନ ସେ ଯାଇ ସେଠି ରହିବ । ଆଉ ବସନ୍ତ ଦଳବଳ ଧରି ବର୍ତ୍ତମାନ ସେଠାରେ ରହୁ । ପରେ ତାକୁ ଅଲଗା ନିର୍ଦ୍ଦେଶ ଦେବି ।

 

ଡ୍ରାଇଭର କରୁଣାକର ତୁମ ସାଙ୍ଗରେ ରହିବ । ସେ ତୁମକୁ ଆଜି ପହଞ୍ଚାଇ ଦେବ । ସେ ନିର୍ଦ୍ଦେଶ ତାକୁ ଦେଇଛି ।

 

ଆଉ ଗୋଟାଏ କଥା । ବର୍ତ୍ତମାନ ତୁମର ଦୁଇ ଦିନ ଛୁଟି । ପୂରା ବିଶ୍ରାମ । ପରେ ଅଲଗା କାମର ନିର୍ଦ୍ଦେଶ ଦେବି ।

 

ଇତି—

ଗଙ୍ଗାଚାନ୍ଦ୍‍

 

ଚିଠିପାଇ ଜୟନ୍ତ ବନଜାକୁ ଦେଖାଇଲା । ବନଜା ପାଇଁ ଖଣ୍ଡେ ରିକ୍‍ସା ଡାକିଦେଇ ଜୟନ୍ତ ନିଜେ ଗାଡ଼ିରେ ବସିଲା । କରୁଣାକର ପଛସିଟରେ ବସି ରହିଲା ।

 

ହରିପାଟଣା ଘରକୁ ଅସି ଜୟନ୍ତ କରୁଣାକର ଆଡ଼େ ଚାହିଁ କହିଲା—ତମର ବର୍ତ୍ତମାନ ଛୁଟି । ମୋର ବି ଆଜି ଛୁଟି ଅଛି । ଟିକିଏ ବିଶ୍ରାମ କରିବି । ଆଉ ନିଅ, ଦଳପତିଙ୍କ ଦେବା ବ୍ୟତୀତ ତୁମକୁ ଅଧିକା ଶହେ ଟଙ୍କା ପୁରସ୍କାର ଦେଲି ।

 

କରୁଣାକର ନମସ୍କାର କରି ଚାଲିଗଲା ।

 

ଜୟନ୍ତ ସିଧା ଉପର ମହଲାକୁ ଉଠିଗଲା । ସେଠାରେ ଗୋଟିଏ ଚାକର ପିଲା ତାକୁ ଅପେକ୍ଷା କରିଥିଲା । ସେ କହିଲା—ବାବୁ ଆପଣଙ୍କ ନାମରେ ବର୍ତ୍ତମାନ ଖଣ୍ଡେ ଚିଠି ଆସି ପହଞ୍ଚିଲା ।

ବିସ୍ମିତ ହେଇ ଜୟନ୍ତ ଦେଖିଲା, ପ୍ରକୃତରେ ତା’ ପାଖକୁ ଚିଠିଟା ଲେଖା ହେଇଛି—

ପ୍ରିୟ ଚକ୍ରଧର,

ତୁମକୁ ଅନେକ ପ୍ରକାର ପରୀକ୍ଷା କରି ଦେଖିଲି, ତୁମେ ହିଁ ସବୁଠାରୁ ବିଶ୍ଵସ୍ତ ଅନୁଚର । ସେଥିପାଇଁ ତୁମକୁ ଅଲଗା କରି ଆଣିଲି ।

ଗୋଟାଏ ବଡ଼କାମର ଭାର ତୁମକୁ ଦେଉଛି । ବଳରାମ ସର୍ବସ୍ୱ ନେଇ ତାକୁ ମୃତ୍ୟୁଦଣ୍ଡ ଦେଇ ସାରିଛି ।

ମୁଁ ମୋର ସମସ୍ତ ଧନସମ୍ପତ୍ତି ନେଇ ବାହାରେ କୌଣସି ଏକ ସ୍ଥାନରେ ରଖିଦେଇ ଆସିବି ବୋଲି ସ୍ଥିର କରିଛି ।

ମୋର ଉଡ଼ାଜାହାଜ ଉପର ବେଳା ଅଢ଼େଇଟାରେ ଛାଡ଼ିବାର ଅଛି । ତା’ ଆଗରୁ ତୁମେ ରାଜଗଡ଼ ଯାଇ ସେଠାରେ ଥିବା ଭଙ୍ଗା ରାଜବାଟିରେ ଏ ଚିଠି ଦେଖାଇଲେ ସେ ମୋର ସମସ୍ତ ସମ୍ପତ୍ତି ତୁମକୁ ଦେବେ । ତୁମେ ଦୁଇଟା ସୁଦ୍ଧା ମୋତେ ବିମାନ ଘାଟିରେ ଦେଖା କରିବ ।

ଗୋଟିଏ ଝିଅ ବି ମୋ ସାଙ୍ଗରେ ଯାଉଚି । ସେଥିପାଇଁ ଯଦି ତୁମକୁ ସାଙ୍ଗରେ ନେବା ଦରକାର ପଡ଼େ ତେବେ ବିମାନ ଘାଟିଠାରେ ଜଣାଇବି । ପ୍ରସ୍ତୁତ ହୋଇ ଆସିଥିବ ।

ଇତି—

ଗଙ୍ଗାଚାନ୍ଦ୍

 

ଚିଠିଟା ପଢ଼ି ଜୟନ୍ତର ମୁଣ୍ଡ ଗରମ ହୋଇଉଠିଲା । ସାମାନ୍ୟ ବୁଲିବା ଆଳରେ ସେ ବାହାରି ଫୋନରେ ପୋଲିସ କମିଶନରଙ୍କୁ ସମସ୍ତ କଥା ଜଣାଇ ଦେଲା ।

 

॥ ବାର ॥

 

ଜୟନ୍ତର ଗାଡ଼ି ବିମାନ ଘାଟିରେ ପହଞ୍ଚିଲା ।

 

ଏରୋଡ୍ରମର ମୁଖ୍ୟ ଅଫିସରଙ୍କଠାରୁ ଜୟନ୍ତ ବୁଝିଲା ଯେ ଆଜି ଅଢ଼େଇଟାବେଳେ ନୀଳପାଟଣା ରାଜା ସାହେବ ଗୋଟାଏ ସ୍ପେଶାଲ ବିମାନରେ ବମ୍ବେ ଯାଉଛନ୍ତି ।

 

ତା’ ଗାଡ଼ିରୁ ମସ୍ତବଡ଼ କଳାଟ୍ରଙ୍କଟା କୁଲିମାନେ ନେଇ ବିମାନକୁ ଉଠାଇବା ପାଇଁ ପ୍ରସ୍ତାବ ହେଲେ ।

 

ଠିକ୍ ସେତିକିବେଳେ ନୀଳପାଟଣା ସାହେବ ଆସି ପହଞ୍ଚିଲେ । ମୁହଁସାରା ନିଶ ଦାଢ଼ି । ମୁଣ୍ଡରେ ପଗଡ଼ି । ଆଖିରେ କଳା ଚଶମା ।

 

ଜୟନ୍ତ ଆଗେଇ ଆସି କହିଲା—ଆସିଛି ସାର୍ !

 

—କେଉଁଠି ?

 

—କୁଲିମାନେ ଟ୍ରଙ୍କଟା ନେଲେଣି । ମତେ କ’ଣ ଯିବାକୁ ହେବ ?

 

—ହଁ ।

 

ଜୟନ୍ତ ଚାରିଆଡ଼େ ଚାହିଁ ଦେଖିଲା । କୌଣସି ଝିଅକୁ ଦେଖିଲା ନାହିଁ । ତେବେ ଏଇଟା କ’ଣ ମିଛକଥା ?

 

ସେ ପଚାରିଲା—ଅନ୍ୟ ଜିନିଷପତ୍ର କ’ଣ ଉଠିଯାଇଛି ?

 

—ହଁ ।

 

ସେତିକିବେଳେ ଦୂରରେ ଦୁଇଟି ପୋଲିସ ଭ୍ୟାନ୍‍ ଦେଖାଗଲା । ଗୋଟାଏ ଭ୍ୟାନ୍‌ରୁ କମିଶନର ସାହେବ ଓହ୍ଲାଇ ଧାଇଁ ଆସୁଥିଲେ ।

 

ପୋଲିସ ବାହିନୀ ଦେଖି ରାଜାସାହେବ ଚଞ୍ଚଳ ହୋଇ ଉଠିଲେ । ପାଇଲଟ ଆଡ଼େ ଚାହିଁ ପଚାରିଲେ–ବର୍ତ୍ତମାନ ଯିବାରେ କୌଣସି ବାଧା ନାହିଁ ତ ?

 

—ନା ସାର୍ ।

 

ଜୟନ୍ତ ଆଡ଼େ ଚାହିଁ ରାଜାସାହେବ କହିଲେ—ଉଠିଆସ ।

 

କିନ୍ତୁ ଏ କ’ଣ ? ଏଇଟା ସ୍ଵପ୍ନ, ନା ସତ୍ୟ ?

 

ଚକ୍ରଧର ରିଭଲଭର ଧରିଛି କାହିଁକି ?

 

—ମୁଣ୍ଡ ଉପରକୁ ହାତ ଉଠାଅ ଗଙ୍ଗାଚାନ୍ଦ୍…..ସାମାନ୍ୟ ଡେରି କଲେ କୁକୁର ଭଳି ଗୁଳି କରି ମାରିବି….

 

—ତୁମେ...ତୁମେ ଚକ୍ରଧର….

 

ଜୟନ୍ତ ପ୍ରଚଣ୍ଡ ଶବ୍ଦରେ ହସି ଉଠିଲା । କହିଲା—ହଁ, ମୁଁ ଚକ୍ରଧର ମାନେ ଜୟନ୍ତ ପାଣିଗ୍ରାହୀ…

 

ମୁଣ୍ଡର କୃତ୍ରିମ ବାଳ ଜୟନ୍ତ କାଢ଼ିଦେଲା । ଲମ୍ବା ନିଶ ଆଉ ନାକ ପାଖେ ଥିବା ଭାତୁଡ଼ିଟା ମଧ୍ୟ ଖସିପଡ଼ିଲା ।

 

କମିଶନର ସାହେବ ହୁଙ୍କାରି ଉଠିଲେ—ହାଣ୍ଡସ୍ ଅପ୍ !

 

ରାଜାସାହେବ ଓରଫ ଗଙ୍ଗାଚାନ୍ଦ୍ ହାତ ଉଠେଇଲେ । ନିଜେ କମିଶନର ସାହେବ ତା’ ହାତରେ ହାତକଡ଼ା ପିନ୍ଧାଇ ଦେଲେ ।

 

ଜୟନ୍ତ ଆସି ତା’ର ପଗଡ଼ି ଆଉ ନକଲି ଦାଢ଼ି ନିଶ କାଢ଼ିଦେଲା ।

 

କମିଶନର ସାହେବ ବିସ୍ମିତ ହୋଇ କହିଲେ—ଆରେ, ଏ ତ ରାୟବାହାଦୁରଙ୍କ ଅଂଶୀଦାର ସୁବଳ ପରିଡ଼ା !

 

ଜୟନ୍ତ କହିଲା—ହଁ, ପ୍ଲେନଭିତରେ କୌଣସି ବାକ୍ସରେ ବୋଧହୁଏ ବନଜା ରହିଛି । ଏ ସଇତାନ ତା’ ବାପାର ସର୍ବନାଶ କରିଛି । ପୁଣି ସୁବଳକୁ ଜବତ କରିବା ପ୍ରତିଶ୍ରୁତି ଦେଇ ତାକୁ ନିଜ ଦଳଭୁକ୍ତ କରିଛି । ଏଥର ତାକୁ ନେଇ କି ଉଦ୍ଦେଶ୍ୟରେ ବମ୍ବେ ଯାଉଥିଲା ଜଣାପଡ଼ିନି । ଆଉ ଏସବୁ ସମ୍ପଦ ତାରି ବାପାକୁ ଠକି ଏ ସଇତାନ ଅଧିକାର କରିଛି ।

 

ଆଉ ରାୟବାହାଦୁରଙ୍କର ଅଂଶୀଦାର ସାଜି ତାଙ୍କର ପାଞ୍ଚଲକ୍ଷ ଟଙ୍କାର ରତ୍ନ ଆତ୍ମସାତ୍ କରିବାର ଚେଷ୍ଟା କରୁଥିଲା । ଏହାଭଳି କୃତଘ୍ନ ସଇତାନ ଦୁନିଆରେ ଆଉ କେହି ଅଛି ବୋଲି ମୋର ମନେହୁଏନି ।

 

ବନ୍ଦିନୀ ବନଜାକୁ ସଙ୍ଗେ ସଙ୍ଗେ ଗୋଟାଏ ବଡ଼ କାଠବାକ୍ସ ଭିତରୁ ଉଦ୍ଧାର କରାଗଲା । କୌଣସି ଗୋଟାଏ ଗ୍ୟାସରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲା !

 

ଲକ୍ଷ ଲକ୍ଷ ଟଙ୍କାର ହୀରା ନୀଳା ପ୍ରଭୃତି ସହିତ ଅଦୃଶ୍ୟହନ୍ତା ସୁବଳ ପରିଡ଼ାକୁ ପୋଲିସ ଭ୍ୟାନ୍‍ ଧରି ଆଗେଇ ଚାଲିଲା ।

Image